ବେଦିକୁ ଆସିଲାନି ବର ! କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର

24

କନକ ବ୍ୟୁରୋ : ନିର୍ବନ୍ଧ ସରିଥିଲା । ବେଦୀ ବି ସଜା ହୋଇଥିଲା । କିନ୍ତୁ ହାତଗଣ୍ଠି ପଡିବା ପୂର୍ବରୁ ଭାଙ୍ଗିଗଲା ବାହାଘର । ସାଜସଜ୍ୱାରେ  ଚମକୁଥିଲା ମଣ୍ଡପ । କନ୍ୟା ବେଶରେ ସଜେଇ ହୋଇ ବର ଅପକ୍ଷୋରେ ଥିଲା ମଙ୍ଗୁଳା ଝିଅ । ବରଯାତ୍ରୀ ବି ବାହାରିସାରିଥିଲେ । କିନ୍ତୁ ହଠାତ ସବୁ ଓଲଟପାଲଟ ହୋଇଗଲା । ପୁଅ ଘର ଦାବି କଲେ କୋଟିଏ ଟଙ୍କାର ଯୌତୁକ । କିନ୍ତୁ ୨୦ ଲକ୍ଷ ଟଙ୍କା ଯୌତୁକ ଦେଇ ସାରିଥିବା ଝିଅ ଘର ଆଉ ଟଙ୍କା ଦେଇପାରିନଥିଲେ । ବାସ ଏତିକିରେ ସରିଯାଇଥିଲା ସବୁ କିଛି । ବେଦୀକୁ ଆସିନଥିଲା ବର । ଆଉ ଶେଷରେ ଥାନାରେ ପହଚିଂଥିଲା କନିଆଁ ବେଶରେ ସଜେଇ ହୋଇଥିବା ମଙ୍ଗୁଳା କନ୍ୟା ।

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଂଚଳର ଯୁବତୀଙ୍କର  ଅନୁଗୁଳର ଶାନ୍ତି ସ୍ୱରୂପଙ୍କ ସହ ବାହାଘର ଠିକ୍ ହୋଇଥିଲା ।  ଉଭୟେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି  । ପୁଅ  ଆମେରିକାରେ କାମ କରୁଥିବା ବେଳେ ଝିଅ ଚାକିରି କରୁଥିଲେ ବାଙ୍ଗଲୋରରେ ।  ଗତ ୨୧ ତାରିଖରେ ଏକ ହୋଟେଲରେ ଉଭୟଙ୍କ ନିର୍ବନ୍ଧ  ପରେ ବୁଧବାର ଦିନ ବାହାଘର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ କୋଟିଏ ଟଙ୍କା ପାଇଁ ବେଦୀକୁ ବର ନଆସିବାରୁ ବାହାଘର ଭାଙ୍ଗିଯାଇଥିଲା ।ଝିଅର ଅଭିଯୋଗକୁ ଭିତ୍ତିି କରି ପୁଲିସ ତଦନ୍ତ ଚଳାଇଛି । ମଙ୍ଗୁଳା ହୋଇ ରହିଗଲା କନ୍ୟା ।  ସମ୍ଭ୍ରାନ୍ତ ପରିବାରର ହୋଇ ମଧ୍ୟ ଯୌତୁକ ଲୋଭୀ ଲୋକଙ୍କ ପାଇଁ ଭାଙ୍ଗିଗଲା ବାହାଘର ।