ପୁଣି ଅଭାବୀ ବିକ୍ରି ହେଲା କାଳ ! ଋଣଭାର ଚିନ୍ତାରେ ଆତ୍ମହତ୍ୟା କଲେ ଆଉ ଜଣେ ଚାଷୀ

15

କନକ ବ୍ୟୁରୋ : ପୁଣି ଋଣଭାର ନେଲା ଆଉ ଜଣେ ଚାଷୀଙ୍କ ଜୀବନ । ଋଣଭାର ଓ ଅଭାବି ବିକ୍ରି ପାଇଁ ଅନୁଗୁଳ ଜିଲ୍ଲା ଶରଧାପୁର ପଂଚାୟତ ଗୁରୁଧୁଆଁ ଗାଁର ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଚାଷୀ ଜଣକ ହେଉଛନ୍ତି ପରମା ପଲେଇ । ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରମା ପ୍ରାୟ ୨୦ ଏକର ଜମିରେ ପରିବା ଚାଷ କରିଥିଲେ । ଏଥିପାଇଁ ସେ ଅଢେଇ ଲକ୍ଷ ଟଙ୍କା କରଜ କରିଥିଲେ ।

ବ୍ୟାଙ୍କରୁ ୬୦ ହଜାର, ଗାଁ ପଣ୍ଡରୁ ୬୦ ହଜାର ଓ ହାତ ଉଦ୍ଧାରି ୯୦ ହଜାର ଟଙ୍କା କରଜ ଆଣିଥିଲେ ବୋଲି ତାଙ୍କ ପୁଅ କହିଛନ୍ତି । ପନିପରିବାର ଅଭାବି ବିକ୍ରି ଯୋଗୁଁ ଏତେଗୁଡାଏ ଟଙ୍କା କିପରି ସୁଝିବେ, ସେହି ଚିନ୍ତାରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ସେପଟେ ଖବର ପାଇ କୃଷି ବିଭାଗର ଅଧିକାରୀ ଗାଁରେ ପହଂଚି ମୃତ ଚାଷୀଙ୍କ ପରିବାରକୁ ଭେଟିଛନ୍ତି । ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।