ଦୁର୍ଘଟଣା ଛଡ଼ାଇ ନେଲା କୁନି ପିଲା ମୁହଁର ହସ ! ସିସିଟିଭି କ୍ୟାମେରାରେ କଏଦ ହେଲା ଦୁର୍ଘଟଣାର ଲୋମଟାଙ୍କୁରା ଚିତ୍ର ।

41

କନକ ବ୍ୟୁରୋ : ସିସିଟିଭିରେ ଦୁର୍ଘଟଣାର ଲାଇଭ୍ ଚିତ୍ର । କ୍ୟାମେରାରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ । ବେପରୁଆ ଗାଡ଼ି ଚାଳନା କେତେ ବଡ ବିପଦ ଆଣିପାରେ ଏବଂ କେମିତି ଜଣେ କୁନି ପିଲାର ଜୀବନକୁ ବାଜିରେ ଲଗାଇ ଦେଇପାରେ ଏହି ଘଟଣା ହେଉଛି ତା’ର ପ୍ରମାଣ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ହୃଦୟ ବିଦାରକ ଘଟଣା, ହସଖୁସିରେ ଦିନ କାଟୁଥିବା ୬ବର୍ଷିୟ ଓମକୁ ହସ୍ପିଟାଲର ଆଇସିୟୁକୁ ଠେଲି ଦେଇଛି । ଯିଏ ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସେପ୍ଟେମ୍ବର ୧୫ ତାରିଖ ଅନୁଗୁଳର ପୋକତୁଙ୍ଗା ଠାରେ ଘଟିଥିଲା ଏହି ହୃଦୟ ବିଦାରକ ଘଟଣା । ସବୁ ଦିନ ଭଳି ମନଖୁସିରେ ଘରୁ ବାହାରକୁ ଆସିଥିଲା ମଦନ ମୁଖିଙ୍କ ୬ବର୍ଷିୟ କୁନି ପୁଅ ଓମ୍ ମୁଖି । ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଅଚାନକ୍ ମାଡ଼ି ଆସିଲା ଏକ ଧଳା ରଙ୍ଗର ଗାଡ଼ି । ଆଉ ଗାଡି ଅତିକ୍ରମ କରିବା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଓମକୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ କଟକର ଏକ ଘରୋଇ ହସ୍ପିଟାଲ ଅଣାଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି :

-ଜନବସତି ଅଚଂଳରେ ବ୍ୟକ୍ତି ଜଣକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ କେମିତି ?

-ଏଯାଏଁ କାହିଁକି ସଂପୃକ୍ତ ଗାଡ଼ି ଚାଳକଙ୍କ ବିରୋଧରେ ହୋଇନି କାର୍ଯ୍ୟାନୁଷ୍ଠାନ ?

ଏବେ ଓମର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଆଉ ଏପଟେ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଓମକୁ କଟକ ଆଣିବା ସହ ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିଥିବା ଓମଙ୍କ ବାପା ସୂଚନା ଦେଇଛନ୍ତି ।