ଆଠମଲ୍ଲିକ ମାଣତ୍ରୀ ପୋଲରୁ ବସ୍ ଖସିପଡିବା ଘଟଣା : ଘଟଣା ଦିନର କାହାଣୀ ବଖାଣିଲେ ଡ୍ରାଇଭର

33

ଆଠମଲ୍ଲିକ : ମହାରାଜାରେ ମହାଯାତ୍ରାର ମହାଖଳନାୟକ ଡ୍ରାଇଭର ବୀରେନ୍ଦ୍ର ବେହେରା । ପୁଲିସ ହାତରେ ଧରା ପଡିବା ପରେ ଘଟଣା ଦିନର କାହାଣୀ କହିଛନ୍ତି ଡ୍ରାଇଭର । ମାଣତ୍ରୀ ପୋଲ ତଳକୁ ବସ୍ ଖସିପଡିବା ପରେ ସମ୍ପୂର୍ଣ୍ଣ ଓଲଟି ଯାଇଥିବା ପୁଲିସକୁ କହିଛନ୍ତି ଡ୍ରାଇଭର । ଏଥିରେ ଭୟଭିତ ହୋଇ ଘଟଣାସ୍ଥଳ ଛାଡି ଚାଲିଯାଇଥିଲେ ଡ୍ରାଇଭର । ଏପରିକି ରାତି ତମାମ୍ ଏକ ଜଙ୍ଗଲରେ ଲୁଚି ରହିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ବୀରେନ୍ଦ୍ର ବେହେରା । ତେବେ ଡ୍ରାଇଭର ମୋବାଇଲରେ କଥା ହେଉଥିଲେ କି ନା ସେ ନେଇ କୌଣସି ସୂଚନା ଦେଇନାହାନ୍ତି ଆଠମଲ୍ଲିକ ଡିଏସପି ।

ସେପଟେ ଅନୁଗୁଳ ଆଠମଲ୍ଲିକ ଦୁର୍ଘଟଣାଗ୍ରସ୍ତ ମହାରାଜା ବସର ଡ୍ରାଇଭର ବୀରେନ୍ଦ୍ର ବେହେରାଙ୍କୁ ଆଜି ଆଠମଲ୍ଲିକ ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା ପୁଲିସ । ଜାମିନ ନାମଂଜୁର ହେବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଗତକାଲି ବାଇକରେ ଯାଉଥିବା ବେଳେ ଆଠମଲ୍ଲିକ ପୁଲିସ ବୀରେନ୍ଦ୍ରଙ୍କୁ ଗିରଫ କରିଥିଲା। ଗତ ଶୁକ୍ରବାର ଦିନ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ମାଣତ୍ରୀ ପୋଲ ତଳକୁ ଖସି ପଡିଥିଲା ବୌଦ୍ଧରୁ ଆଠମଲ୍ଲିକ ଆସୁଥିବା ମହାରାଜା ବସ୍ । ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ ।