ବୈଜୟନ୍ତଙ୍କୁ ପୁଣି ଟ୍ୱିଟରରେ ବାଣ ମାରିଲେ ଅନୁଭବ । କହିଲେ, ଫୋନ୍ କରି ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ କରିଥିଲେ ଖରାପ ବ୍ୟବହାର, ଜାଣନ୍ତୁ ବୈଜୟନ୍ତ ରଖିଲେ କଣ ଉତ୍ତର?

511

କନକ ବ୍ୟୁରୋ : ଦିଲ୍ଲୀରେ ସରକାରୀ ବଙ୍ଗଳାକୁ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟୁଇଟରେ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଆଜି ଟୁଇଟ୍ କରି ଅନୁଭବ ଅଭିଯୋଗ ଆଣିଛନ୍ତି, ବୈଜୟନ୍ତ ପଣ୍ଡାଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ଫୋନ କରି ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ନିର୍ବାଚନ ମଣ୍ଡଳୀ କାମରେ ବ୍ୟସ୍ତ ଥିବାରୁ ବିଳମ୍ବରେ ଦେଖାହେବା ପାଇଁ ଅନୁଭବ କହିଥିବା ବେଳେ ଏହାର ପ୍ରତିଉତରରେ ବୈଜୟନ୍ତଙ୍କ ପିଏ ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ଟୁଇଟ୍ କରି ଜଣାଇଛନ୍ତି ଅନୁଭବ ।

ଦିଲ୍ଲୀର ସରକାରୀ କ୍ୱାର୍ଟରକୁ ନେଇ ବିବାଦ ଘନେଇବାରେ ଲାଗିଛି । ସାଂସଦ ଅନୁଭବ ମହାନ୍ତି ବନାମ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡାରେ ପ୍ରଚାର ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ମୁହଁ ଖୋଲିଛନ୍ତି ଉଭୟ ନେତା । କିଛି ବଡ ସାମଗ୍ରୀ ପାଇଁ ଘର ଏଯାଏଁ ଫାଙ୍କା ହୋଇନଥିବା ବୈଜୟନ୍ତ କହିଛନ୍ତି । ଆଉ ଏହାର ପ୍ରତ୍ୟୁତ୍ତରରେ ଅନୁଭବ ତାତ୍ସଲ୍ୟ କରି କହିଛନ୍ତି ବୈଜୟନ୍ତଙ୍କ ଘରେ ବୋଧହୁଏ ତାଜମହଲ ରହିଯାଇଛି ତେଣୁ ଏହାକୁ ଉଠାଇବା ପାଇଁ ୧୩ ମାସରୁ ଅଧିକ ସମୟ ଲାଗିଲାଣି । ଏହାବାଦ୍ ବୈଜୟନ୍ତ କହିଛନ୍ତି ବଜାର ଦର ଅନୁଯାୟୀ ସରକାରଙ୍କୁ ଟଙ୍କା ଦେଇ ସେ ଘର ରଖିଛନ୍ତି । ଆଉ ଏବେ ନିର୍ବାଚନ ଥିବାରୁ ଏହାକୁ ମୁଦ୍ଦା କରାଯାଉଛି । କିନ୍ତୁ ଅନୁଭବ କହିଛନ୍ତି, ଏ ବାବଦରେ ସେ ସଂସଦର ଗୃହ କମିଟିକୁ ଜଣାଇଛନ୍ତି । କମିଟି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ।

ଏହି ଘଟଣା ପରେ ପୁଣି ଟୁଇଟ କରିଛନ୍ତି ଅନୁଭବ ମହାନ୍ତି । ଅନୁଭବ ତାଙ୍କ ଟୁଇଟରେ ଲେଖିଛନ୍ତି, ସରକାରୀ କ୍ୱାର୍ଟରରୁ ଫେରିଆସିବା ପରେ ତାଙ୍କୁ ଫୋନ କରିଥିଲେ ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ । ତେବେ ଅନୁଭବ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡାରେ ମିଟିଂରେ ବ୍ୟସ୍ତ ଥିବାରୁ ବିଳମ୍ବରେ ସମୟ ଦେବେ ବୋଲି କହିଥିଲେ । ହେଲେ ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ ଫୋନରେ ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଟୁଇଟ କରି ଅଭିଯୋଗ ଆଣିଛନ୍ତି ଅନୁଭବ ।
ତେବେ ଏହି ଘଟଣାକୁ ନେଇ ବୈଜୟନ୍ତଙ୍କ କାର୍ଯ୍ୟାଳୟ କହିଥିଲା ଅନୁଭବ ସମୟ ନନେଇ ଦୁଇଥର ମହାଦେବ ରୋଡ ସ୍ଥିତ ସେହି ଘରକୁ ଆସିଥିଲେ । ଏବଂ ତାଙ୍କୁ ପ୍ରବେଶ ପାଇଁ ସୁରକ୍ଷାକର୍ମୀ ଅନୁମତି ଦେଇନଥିଲେ । ଏହାପରେ ତାଙ୍କ ବ୍ୟକ୍ତିଗତ ସଚିବ କୁଆଡେ ଅନୁଭବଙ୍କୁ ଫୋନ କରିଥିଲେ ହେଲେ ଅନୁଭବ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଖରାପ ବ୍ୟବହାର କରିଥିଲେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ।