ମହାପ୍ରଭୁଙ୍କୁ ନେଇ ଅନୁଭୂତି ବଖାଣିଲେ ଅନୁଭବ । କହିଲେ, ନିର୍ବାଚନ ଦିନ ପୂଜାର୍ଚ୍ଚନା ସମୟରେ କାଳିଆ ଠାକୁରଙ୍କ ମଥାରୁ ଫୁଲ ଖସିଥିଲା ।

2,740

କନକ ବ୍ୟୁରୋ : ପୂରା ବିଶ୍ୱର ଠାକୁର ଜଗନ୍ନାଥ ମହାପ୍ରଭୁ । ରତ୍ନବେଦୀରେ ବସି ପୂରା ବିଶ୍ୱକୁ ଚଳାଉଛନ୍ତି ବିଶ୍ୱନିୟନ୍ତା । ଭକ୍ତର ଭାବନାକୁ ବେଶ ଭଲ ଭାବେ ବୁଝିପାରନ୍ତି , ସେଥିପାଇଁ ତ ସେ ଭାବର ଠାକୁର । କାହା ପାଇଁ ଜଗା ଭାବ ବିନୋଦିଆ ତ ପୁଣି କାହା ପାଇଁ ଜଗତର ନାଥ । ଏହି ମାଟିରେ ବଡ ଠାକୁରଙ୍କ ଅନେକ ଲୀଳାଖେଳା ଦେଖିଛନ୍ତି ପୂରା ବିଶ୍ୱବାସୀ । ଏମିତି ଅନେକ ଭକ୍ତ ଅଛନ୍ତି ଯେଉଁମାନେ କଳାଠାକୁରଙ୍କ ପ୍ରତିଟି ଅଲୌକିକତାକୁ ଅନୁଭବ କରିଛନ୍ତି । ମହାପ୍ରଭୁଙ୍କ ଅଲୌକିକତାର ଅନୁଭୂତି ସାଉଁଟିଥିବା ସେହିଭଳି ଜଣେ ଭକ୍ତ ହେଉଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । କନକ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ଜଗନ୍ନାଥଙ୍କ ଅଲୌକିକତାର ଅନୁଭୂତି ବଖାଣିଛନ୍ତି ଅନୁଭବ ।

୨୦୧୯ ନିର୍ବାଚନ ସମୟର କଥା ମନେ ପକାଇ ନିଜ ଅନୁଭୂତି କହିଛନ୍ତି ଅନୁଭବ । କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲି । ପରେ ବଳଦେବଜୀଉଙ୍କ ପୀଠରେ ଶ୍ରୀଜିଉଙ୍କୁ ଦର୍ଶନ କରି ନିର୍ବାଚନରେ ବିଜୟୀ କରିବା ପାଇଁ ଆର୍ଶୀବାଦ ଭିକ୍ଷା କରିଥିଲି । ଯେହେତୁ ମହାପ୍ରଭୁଙ୍କ ପ୍ରତି ପୂର୍ବରୁ ଅଗାଢ ବିଶ୍ୱାସ ରହିଛି ତେଣୁ ପ୍ରତ୍ୟେକ ବଡ କାମ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ କରିଥାଏ । ଅନେକ ସମୟରେ ବଡ ଠାକୁର ମୋତେ ଠିକ୍ ବାଟ ମଧ୍ୟ ଦେଖାଇଛନ୍ତି ।

ଆଉ ନିର୍ବାଚନ ସମୟରେ ମଧ୍ୟ ମୋ ପ୍ରତି ମହାପ୍ରଭୁଙ୍କ ଆର୍ଶୀବାଦ ଥିବା ପୁଣିଥରେ ଜଣାପଡିଥିଲା । ନିର୍ବାଚନ ଦିନ ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ମୋ ପାଇଁ କିଛି ଲୋକ ପୂଜାର୍ଚ୍ଚନା କରିଥିଲେ । ଆଉ ପୂଜା ସମୟରେ ମହାପ୍ରଭୁଙ୍କ ମଥାରୁ ଫୁଲ ଖସିପଡିଥିଲା ବୋଲି ମୋତେ ପୂଜା କରିଥିବା ଲୋକେ କହିଥିଲେ । ଯାହା ଜଗନ୍ନାଥଙ୍କ ପ୍ରତି ଥିବା ମୋ ବିଶ୍ୱାସକୁ ଦ୍ୱିଗୁଣିତ କରିଥିଲା ।

ବାତ୍ୟା ଫୋନିର ପ୍ରଳୟରେ ପୂରା ପୁରୀ ଛାରଖାର ହୋଇଯାଇଥିବା ବେଳେ ମଧ୍ୟ ଏଠାରେ ମହାପ୍ରଭୁ ଜଗନ୍ନାଥ ନିଜ ଭକ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥିଲେ । ଯାହା କଳା ଠାକୁରଙ୍କ ପ୍ରତି ଥିବା ଲୋକଙ୍କ ବିଶ୍ୱାସକୁ ବଢାଇ ଦେଇଥିଲା ।