ଅନୁଭବଙ୍କ ଟାର୍ଗେଟରେ ବାବୁସାନ ! କହିଲେ ଟଙ୍କା ନେଇ କରୁଛନ୍ତି ପ୍ରଚାର, ‘ରିଲ୍ ହିରୋ’ ଆକ୍ଷେପର ରଖିଲେ ଜବାବ । 

2,669

କନକ ବ୍ୟୁରୋ : ନିର୍ବାଚନ ମଇଦାନରେ ଷ୍ଟାରଙ୍କ ଯୁଦ୍ଧ । ୨୦୧୯ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ବୟାନବାଜି ସେତିକି ବଢିବାରେ ଲାଗିଛି । ଆଉ ଏହାରି ଭିତରେ ସରଗରମ ହୋଇଛି କେନ୍ଦ୍ରାପଡା ରାଜନୀତି । କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଭାବେ ବିଜେଡି ଟିକେଟରୁ ଲଢୁଥିବା ଅନୁଭବ ମହାନ୍ତି ଆଜି ବାବୁସାନଙ୍କୁ ଟାର୍ଗେଟ କରିଛନ୍ତି । ଗତକାଲି ବିଜେପିର ନିର୍ବାଚନୀ ସଭାରେ ଯୋଗ ଦେଇ ଅନୁଭବଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ ବାବୁସାନ । ଆଉ ଆଜି ଏହାର ଜବାବ ରଖିଛନ୍ତି ଅନୁଭବ ।

ଅନୁଭବ କହିଛନ୍ତି, ବାବୁସାନ ରିଲ୍ ଲାଇଫର ହିରୋ । ଏବଂ ସେ ଜଣେ ରାଜ୍ୟସଭା ସାଂସଦ । ତେଣୁ ଗତକାଲି ସେ ଦେଇଥିବା ମନ୍ତବ୍ୟ ହୁଏତ ତାଙ୍କ ନିଜ ପାଇଁ ହୋଇଥିବ । ଏହା ସହ ଅନୁଭବ କହିଛନ୍ତି, ରାଜ୍ୟସଭାରେ ସେ ଓଡିଶାର ସ୍ୱାର୍ଥ ଏବଂ ସ୍ୱାଭିମାନ ପାଇଁ ଅନେକ ପ୍ରସଙ୍ଗ ଉଠାଇଛନ୍ତି । ଯାହା ବାବୁସାନ ଜାଣିବା ଦରକାର । ତେଣୁ ବାବୁସାନ ନିଜ ଶିକ୍ଷାଗତ ଯୋଗ୍ୟତା ବଢାଇବା ଦରକାର ବୋଲି ସେ କହିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କ ତରଙ୍ଗ ପ୍ରଡକ୍ସନରେ ବାବୁସାନ ଚଳଚ୍ଚିତ୍ର କରୁଥିବାରୁ କିଛିଟା ଟଙ୍କା ପାଇଁ ସେ ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି ଅନୁଭବ କହିଛନ୍ତି । ଏପରିକି ଅପରାଜିତା ମହାନ୍ତିଙ୍କୁ ମଧ୍ୟ ଏହି ବିବାଦ ଭିତରକୁ ଟାଣିଛନ୍ତି ଅନୁଭବ । ସେ କହିଛନ୍ତି, ଅପରାଜିତା ମହାନ୍ତି ଜଣେ ଅଭିନେତ୍ରୀ ହୋଇଥିବା ବେଳେ ସେ ମଧ୍ୟ ନିର୍ବାଚନ ମଇଦାନରେ ଅଛନ୍ତି । ତେଣୁ ବାବୁସାନ ରଖିଥିବା ବୟାନ ତାଙ୍କ ମା’ଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ ହୋଇପାରେ । ସେହି ଦୃଷ୍ଟିରୁ କେନ୍ଦ୍ରାପଡାରେ ବାବୁସାନ ନିଜ ମା’ଙ୍କ ବିପକ୍ଷରେ ପ୍ରଚାର କରିଯାଇଛନ୍ତି ବୋଲି ଅନୁଭବ କହିଛନ୍ତି । ସୂଚନା ଅନୁଯାୟୀ, ଗତକାଲି କେନ୍ଦ୍ରାପଡାରେ ଅନୁଷ୍ଠିତ ହୋଇଥିବା ଏକ ନିର୍ବାଚନୀ ସଭାରେ ଅନହ୍ୱ ମହାନ୍ତିଙ୍କୁ ଟାର୍ଗେଟ୍ କରିଥିଲେ ବାବୁସାନ୍ । ସେ କହିଥିଲେ, କେନ୍ଦ୍ରାପଡାରେ ରିଲ୍ ହିରୋ ନୁହେଁ ରିୟଲ ହିରୋ ଦରକାର ।