ଜୋର ଧରୁଛି କେନ୍ଦ୍ରାପଡା ରାଜନୀତି ! ବିଶାଳ ଶୋଭାଯାତ୍ରା ସହ ନାମାଙ୍କନ ଭରିଲେ ଅନୁଭବ ଓ ଶଶୀଭୂଷଣ, ବୈଜୟନ୍ତଙ୍କୁ କଲେ ଟାର୍ଗେଟ୍ । 

255

କନକ ବ୍ୟୁରୋ : ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଆଜି ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବିଜେଡିର କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଶଶିଭୂଷଣ ବେହେରା ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ବିରୋଧୀ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବର୍ଷିଛନ୍ତି ଅନୁଭବ । ଏପରିକି କେନ୍ଦ୍ରାପଡାରେ ଶିଳ୍ପର ବିକାଶ ନହେବା ପାଇଁ ସିଧାସଳଖ ପୂର୍ବତନ ସାଂସଦଙ୍କୁ ଦାୟୀ କରିଛନ୍ତି ।

କେନ୍ଦ୍ରାପଡାରେ ନେତା ବନାମ ଅଭିନେତା । ବୈଜୟନ୍ତଙ୍କୁ କାଉଁଟର କରିବେ ଅନୁଭବ । ନାମାଙ୍କନ ପୂର୍ବରୁ ଅନୁଭବଙ୍କ ଶୋଭାଯାତ୍ରା । କେନ୍ଦ୍ରାପଡାରେ ଆଜି ନାମାଙ୍କନ ଭରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି । ଏହି ଆସନରେ ଅନୁଭବଙ୍କୁ ଟକ୍କର ଦେଉଛନ୍ତି ବିଜେପିର ବୈଜୟନ୍ତ ପଣ୍ଡା ଓ କଂଗ୍ରେସର ଧରଣୀଧର ନାୟକ । କେନ୍ଦ୍ରାପଡାରେ ଶିଳ୍ପର ବିକାଶ ନହେବା ପଛରେ ସିଧା ସିଧା ପୂର୍ବତନ ସାଂସଦ ବୈଜୟନ୍ତଙ୍କୁ ଦାୟୀ କରିଛନ୍ତି ଅନୁଭବ ।

ବିଜେଡିର ବିଧାନସଭା ପ୍ରାର୍ଥୀ ଶଶୀଭୂଷଣ ବେହେରା ମଧ୍ୟ ଆଜି ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର । ନାମାଙ୍କନ ଭରିବା ପାଇଁ ବିରାଟ ଶୋଭାଯାତ୍ରାରେ ଯାଇଥିଲେ ଶଶୀଭୂଷଣ । ଶଶୀଭୂଷଣଙ୍କୁ ଟକ୍କର ଦେବେ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା । କେନ୍ଦ୍ରାପଡାର ଉଭୟ ଲୋକସଭା ଏବଂ ବିଧାନସଭା ଆସନରେ ତ୍ରିମୁଖୀ ଲଢେଇ ହେବା ଅନୁମାନ କରାଯାଉଥିବା ବେଳେ ଭୋଟ ପରେ ନିଶ୍ଚିତ ହୋଇଯିବ, ଜନତା କାହା ଉପରେ ମୋହର ମାରୁଛନ୍ତି ।