ନିର୍ବାଚନ ରଣାଙ୍ଗନରେ ଅନୁଭବଙ୍କ ରଣହୁଙ୍କାର । କେନ୍ଦ୍ରାପଡାରେ ବିଶାଳ ଶୋଭାଯାତ୍ରା ସହ ପ୍ରଚାର, ବୈଜୟନ୍ତଙ୍କୁ କଲେ ଟାର୍ଗେଟ୍ ।

329

କନକ ବ୍ୟୁରୋ : ନିର୍ବାଚନ ମଇଦାନରେ ଅନୁଭବ ମହାନ୍ତିଙ୍କ ରଣହୁଙ୍କାର । କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଭାବେ ଲଢୁଛନ୍ତି ଅନୁଭବ । ତେବେ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ଅନୁଭବ । ଆଜି ରାଜନଗରରେ ବିଶାଳ ଶୋଭାଯାତ୍ରା କରି ପ୍ରଚାର କରିଛନ୍ତି କେନ୍ଦ୍ରାପଡା ଲୋକସଭା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି । ତାଙ୍କ ସହ ରାଜନଗର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କ ବିଫଳତା ଓ ରାଜ୍ୟ ସରକାରଙ୍କ ସଫଳତା ବଖାଣିଥିଲେ ଅନୁଭବ । ଦୁଇ ଦୁଇ ଥର ସାଂସଦ ଥିବା ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନା କରିବା ସହ କେନ୍ଦ୍ରାପଡାର ବିକାଶ ପାଇଁ ତାଙ୍କୁ ସମର୍ଥନ ଦେବା ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି ଅନୁଭବ ।

ଆଜି ରାଜନଗରରୁ ଏକ ବିଶାଳ ରାଲି କରିବା ସହ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ଅନୁଭବ କହିଛନ୍ତି, କେନ୍ଦ୍ରାପଡାରେ ଯେତିକି ବିକାଶ ହେବା କଥା ସେତିକି ହୋଇନାହିଁ । ଏଥର କେନ୍ଦ୍ରାପଡାରେ ବିଜେଡି ବିଜୟଲାଭ କଲେ, ଜିଲ୍ଲାର ବିକାଶ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଗତ ଦୁଇ ବର୍ଷ ଧରି ଏହି ଲୋକସଭା ଆସନରୁ ବିଜେଡି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିବା ବୈଜୟନ୍ତ ପଣ୍ଡା ଏଥର କିନ୍ତୁ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ଧରଣୀଧର ନାଏକ କଂଗ୍ରେସ ଟିକେଟରୁ ଏହି ଲୋକସଭା ଆସନ ପାଇଁ ମଇଦାନକୁ ଓହ୍ଲାଇଥିବା ବେଳେ, କେନ୍ଦ୍ରାପଡାରେ ଏଥର କଡା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।