ପରଦାରେ ପାସ୍, ପଲିଟିକ୍ସରେ ଫେଲ୍ । ହାରିଲେ ଦୁଇ ଅଭିନେତ୍ରୀ, ବିପୁଳ ସମର୍ଥନରେ ବାଜି ମାରିନେଲେ ଅଭିନେତା ।

2,699

କନକ ବ୍ୟୁରୋ: ଓଡ଼ିଶାରେ ଏବେ ଚାରିଆଡ଼େ ଶୁଭୁଛି ‘ଶଙ୍ଖ’ ନାଦ । ଆଉ ଲଗାତାରଭାବେ ୫ଥର ପାଇଁ କ୍ଷମତା ସମ୍ଭାଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହାକୁ ନେଇ ଦେଶର କୋଣ ଅନୁକୋଣରୁ ନବୀନଙ୍କ ପାଇଁ ଶୁଭେଚ୍ଛାର ସୁଅ ଛିଟିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଓଡଲିଉଡ୍ ଜଗତରୁ ରାଜନୀତି ମୈଦାନକୁ ଓହ୍ଲାଇ ବାରମ୍ବାର ଜନସମର୍ଥନ ହାତେଇବାକୁ ପ୍ରୟାସ କରୁଥିବା କଳାକାରମାନଙ୍କ ମଧ୍ୟରୁ ଚଳିତଥର କିଛି ପରାଜିତ ଆଉ କିଛି ବିଜୟ ତିଳକ ପିନ୍ଧିଛନ୍ତି । ରାଜନୀତିକୁ ଓଲିଉଡ୍ ଅଭିନେତା, ଅଭିନେତ୍ରୀଙ୍କ ଜୋର୍ଦାର୍ ପ୍ରବେଶ ହୋଇଥିଲେ ବି ଏଥର ଦଳୀୟ ଟିକେଟ୍ ପାଇଥିଲେ ମାତ୍ର ୩ ଜଣ କଳାକାର ।

ଏହି ମର୍ମରେ ବିଜେଡିରୁ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଟିକେଟ୍ ପାଇଥିଲା ବେଳେ ବିଜେପିରୁ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ କେନ୍ଦ୍ରାପଡ଼ା ଲୋକସଭା ଆସନ ଉପରେ ଯେତେବେଳେ ସମସ୍ତେ ନଜର ରଖିଥିଲେ ସେତେବେଳେ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଆଉ କେବଳ ଅଭିନୟ ଜଗତରେ ରାଜନୀତି ମୈଦାନରେ ମଧ୍ୟ ସେ ଜଣେ ସଫଳ ରାଜନେତା ହୋଇପାରିଛନ୍ତି ।

ଅନ୍ୟପଟେ ଓଲିଉଡ୍ ଦୁନିଆର ପ୍ରତିଷ୍ଠିତ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତରରୁ ବିଜେପି ପାଇଁ ପ୍ରତିଦ୍ୱନ୍ଦୀତା କରିଥିଲେ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି । ସେହିଭଳି ଅନ୍ୟଜଣେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ବିଜେପି ପାଇଁ ପ୍ରତିଦ୍ୱନ୍ଦୀତା କରିଥିଲେ ମଧ୍ୟ ବିଜେଡି ହେଭିୱେଟ୍ ସୂର୍ଯ୍ୟପାତ୍ରଙ୍କ ଠାରୁ ପରାଜିତ ହୋଇଛନ୍ତି । ତେବେ ଉଭୟ ନିଜର ଅଭିନୟୟ ଜରିଆରେ ଲୋକଙ୍କ ହୃଦୟ ଜିଣିଥିଲେ ମଧ୍ୟ ରାଜନୀତି ରଙ୍ଗମଞ୍ଚରେ ଜନତା ଜନାର୍ଦ୍ଦନଙ୍କ ହୃଦୟ ଜିଣିପାରି ନାହାନ୍ତି ।