ବଜାର ଦର ଅନୁସାରେ ଭଡ଼ା ଦେଇ ଅନୁମତି ସହ କ୍ୱାର୍ଟର ବ୍ୟବହାର କରୁଛି : ଅନୁଭବଙ୍କ ଅଭିଯୋଗର ଜବାବ ରଖିଲେ ବୈଜୟନ୍ତ

2,688

କନକ ବ୍ୟୁରୋ : ସରକାରୀ ବଙ୍ଗଳାକୁ ନେଇ ମୁହାଁମୁହିଁ ପୂର୍ବତନ ସାଂସଦ ଆଉ ନବନିର୍ବାଚିତ ସାଂସଦ । ବଙ୍ଗଳାକୁ ନେଇ ଭିନ୍ନ ଭିନ୍ନ ଯୁକ୍ତି ବାଢ଼ୁଛନ୍ତି ବୈଜୟନ୍ତ ପଣ୍ଡା ଓ ଅନୁଭବ ମହାନ୍ତି । ନିର୍ବାଚନ ହାରିଛନ୍ତି ତଥାପି ସରକାରୀ ବଙ୍ଗଳାର ମୋହ ଛାଡ଼ୁନି ବୋଲି ଅଭିଯୋଗ କରିଛନ୍ତି ନବନିର୍ବାଚିତ ସାଂସଦ ଅନୁଭବ ମହାନ୍ତି । ନୀତି ଓ ନୈତିକତାକୁ ଦ୍ୱାହି ଦେଇ ଦିଲ୍ଲୀରେ ଜୋରଜବରଦସ୍ତି ସରକାରୀ ବଙ୍ଗଳାକୁ ଦଖଲ କରିବସିଛନ୍ତି ବୈଜୟନ୍ତ ପଣ୍ଡା । ନିୟମ କାନୁନ ପ୍ରତି ତାଙ୍କର ଖାତିର ନାହିଁ । ୧୩ ମାସ ପୂର୍ବେ ସାଂସଦ ପଦରୁ ଇସ୍ତଫା ଦେବାସହ ଗତ ନିର୍ବାଚନରେ ହାରିବା ସତ୍ୱେ ସରକାରୀ ବଙ୍ଗଳାକୁ କବଜା କରିଛନ୍ତି ବୈଜୟନ୍ତ । ଗତକାଲି ଟ୍ୱିଟ୍ ଜରିଆରେ ଏପରି ସାଂଘାତିକ ଅଭିଯୋଗ ଆଣିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

ଅନୁଭବ ମହାନ୍ତି ଆଣିଥିବା ଅଭିଯୋଗର ସଫେଇ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବୈଜୟନ୍ତ କହିଛନ୍ତି, ବଜାର ଦର ଅନୁସାରେ ଭଡାଦେଇ ସେ କ୍ୱାର୍ଟରକୁ ବ୍ୟବହାର କରିବାକୁ ଅନୁମତି ପାଇଛନ୍ତି । କ୍ୱାର୍ଟରରେ ଥିବା ଅନେକ ଜିନିଷକୁ ସେ ନେଇଯାଇଛନ୍ତି । କିନ୍ତୁ ଘରେ ଥିବା ବଡ ବଡ ଜିନିଷକୁ ଅନ୍ୟତ୍ର ନିଆଯାଇପାରୁନାହିଁ । ଏ ନେଇ ବିଳମ୍ବ ହୋଇଛି । ବ୍ୟକ୍ତିଗତ ଭାବେ ସେ କିଛି ଜିନିଷ କ୍ୱାର୍ଟରରେ ରଖିଥିଲେ । କିନ୍ତୁ ସଂପୃକ୍ତ ଅଂଚଳରେ ବ୍ୟବସାୟିକ ଗାଡି ବ୍ୟବହାର କରିବା ପାଇଁ କିଛି ପ୍ରତିବନ୍ଧକ ରହିଥିବାରୁ ଏସବୁକୁ ସ୍ଥାନାନ୍ତର କରିବାରେ ସମସ୍ୟା ହେଉଛି । ତଥାପି ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲିଛି । କିଛି ଦିନ ସମୟ ବଢାଇବାକୁ ସେ ଅନୁରୋଧ କରିଛନ୍ତି ।

ଏହାରି ଭିତରେ ଅନେକ ସାଂସଦ ପୂର୍ବରୁ ସମୟ ଓ ଅନୁମତି ନେଇ କ୍ୱାର୍ଟରକୁ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । କିନ୍ତୁ ଅନୁଭବ ମହାନ୍ତି ବିନା କୌଣସି ପୂର୍ବ ସୂଚନାରେ ସେଠାରେ ପଂହଚିଥିବାରୁ ସୁରକ୍ଷା କର୍ମୀ ତାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ । ଏହାପରେ ବୈଜୟନ୍ତ ପଣ୍ଡାଙ୍କ ବ୍ୟକ୍ତିଗତ ସଚିବ ଅନୁଭବଙ୍କୁ ଯୋଗାଯୋଗ କରିବା ସହ କେତେବେଳେ କ୍ୱାଟର୍ରକୁ ଅନୁଧ୍ୟାନ କରାଯିବ ସେ ନେଇ ସମୟ ନିର୍ଘଂଟ କରାଯାଇଥିଲା । ହେଲେ ବହୁତ ଘଂଟା ଜଗିବା ପରେ ମଧ୍ୟ ଅନୁଭବ ମହାନ୍ତି ସେଠାରେ ପହଞ୍ଚିନଥିଲେ । ତେଣୁ ବୈଜୟନ୍ତଙ୍କ ବ୍ୟକ୍ତିଗତ ସଚିବ ସେଠାରୁ ପଳାଇଯାଇଥିଲେ । ହେଲେ ଏହା ପରେ ଅନୁଭବଙ୍କୁ ଯେତେବେଳେ ଯୋଗାଯୋଗ କରାଯାଇଥିଲ ସେତେବେଳେ ସେ ଦୁର୍ବ୍ୟବହାର କରାଯାଇଥିବା ବୈଜୟନ୍ତ ଅଭିଯୋଗ ଆଣିଛନ୍ତି ।

ଗତକାଲି ଅନୁଭବ ମହାନ୍ତି ଟ୍ୱିଟ କରି ଲେଖିଥିଲେ, ଦିଲ୍ଲୀର ମହାଦେବ ରୋଡ୍ରେ ମିଳିଥିବା ସରକାରୀ ବାସଭବନକୁ ୧୩ ମାସ ପରେ ବି ଛାଡୁନାହାଁନ୍ତି ବୈଜୟନ୍ତ । ସରକାରୀ ଘର ଆଲଟ୍ମେଂଟ୍ କରୁଥିବା ଲୋକସଭାର ହାଉସ କମିଟି ଅନୁଭବଙ୍କୁ ବୈଜୟନ୍ତଙ୍କ ବାସଭବନକୁ ପଶି ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ ପୁରାଇଦେଉନାହାଁନ୍ତି ବୋଲି ଲେଖିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।