ଭାରତର ମୁଣ୍ଡ ଉପରେ ମାଡି ବସିଛି ଆଣ୍ଟିବାୟୋଟିକର ସଂକଟ : ପ୍ରତି ବର୍ଷ ମୃତ୍ୟୁମୁଖରେ ପଡୁଛନ୍ତି ୭ ଲକ୍ଷ ଲୋକ

25

ଆଣ୍ଟିବାୟୋଟିକ ଔଷଧର କ୍ଷତିକାରକ ପ୍ରଭାବ ଉପରେ ଆଲୋକପାତ କରି ଏଟନା ଇଣ୍ଟରନ୍ୟାସନାଲ ନିଜର ଶ୍ୱେତ ପତ୍ର ‘ଆଣ୍ଟିବାୟୋଟିକ ପ୍ରତିରୋଧ : ଏକ ବହୁମୂଲ୍ୟ ଚିକିତ୍ସା ସଂସାଧନ ତରଫରୁ ପରିଚାଳନା’ରେ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।

ଆଣ୍ଟିମିକ୍ରୋବିୟଲ ପ୍ରତିରୋଧ(ଏଏମଆର) ଠାରୁ ଦୁନିଆରେ ପ୍ରତି ବର୍ଷ ପାଖାପାଖି ୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ଭାରତ, ବିଶ୍ୱରେ ଆଣ୍ଟିବାୟୋଟିକ ଔଷଧର ସବୁଠୁ ବଡ ଉପଭୋକ୍ତା ମଧ୍ୟରୁ ଗୋଟାଏ । ଏଟନା ଇଣ୍ଟରନ୍ୟାସନାଲ ତରଫରୁ ଜାରି କରାଯାଇଥିବା ଶ୍ୱେତ ପତ୍ରରେ କୁହାଯାଇଛି ଯେ, ରୋଗର ବୋଝ, ଖରାପ ସାର୍ବଜନିକ ସ୍ୱାସ୍ଥ୍ୟର ମୂଳ ଢ଼ାଂଚା, ବଢ଼ୁଥିବା ଆୟ ଓ ଶସ୍ତା ଆଣ୍ଟିବାୟୋଟିକ ଔଷଧର ଅନିୟମିତ ବିକ୍ରି ଭଳି କାରକଗୁଡିକ ଭାରତରେ ଆଣ୍ଟିବାୟୋଟିକ ଔଷଧ ପ୍ରତିରୋଧର ସଂକଟକୁ ବଢ଼ାଇ ଦେଉଛି । ଆଣ୍ଟିମିକ୍ରୋବିୟଲ ପ୍ରତିରୋଧ(ଏଏମଆର) ପାଇଁ ସମଗ୍ର ଦୁନିଆରେ ପାଖାପାଖି ସାତ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାର ପ୍ରମୁଖ କାରଣ ଆଣ୍ଟିବାୟୋଟିକ ଔଷଧର ଅନିୟନ୍ତ୍ରିତ ବ୍ୟବହାର ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୨୦୧୫ରେ ୧୨ଟି ଦେଶରେ କରାଯାଇଥିବା ସର୍ବେକ୍ଷଣରେ ଏହା ଦର୍ଶାଯାଇଛି ଯେ, ଭାରତ ସହିତ ଚାରିଟି ଦେଶର ସର୍ବନିମ୍ନ ୭୫ ପ୍ରତିଶତ ଜବାବଦାତା ଗତ ୬ ମାସରେ ଆଣ୍ଟିବାୟୋଟିକର ବହୁଳ ପ୍ରୟୋଗ କରିଛନ୍ତି । ଯେତିକି ବେଗରେ ଦୁନିଆର ମେଡିକାଲ ସେକ୍ଟର ବିକସିତ ହେଉଛି, ସେତିକି ଦ୍ରୁତରେ ଆଣ୍ଟିବାୟୋଟିକ ଔଷଧର ବ୍ୟବହାର ଲୋକଙ୍କ ଠାରେ ବଢ଼ୁଛି । ଦୁନିଆରେ ଆଣ୍ଟିବାୟୋଟିକ ପ୍ରତିରୋଧକୁ ନେଇ ବଢ଼ୁଥିବା ଚିନ୍ତା ଉପରେ ବି ଏଟନାର ମୁଖ୍ୟ ମେଡିକାଲ ଅଫିସର ଡା. ପ୍ରଶାନ୍ତ କୁମାର ଦାସ କହିଛନ୍ତି ଯେ, ଅଧିକାଂଶ ଭାରତୀୟ ଭାବନ୍ତି କି ଆଣ୍ଟିବାୟୋଟିକ ଔଷଧ ସାମାନ୍ୟ ସର୍ଦି ଓ ଗେଷ୍ଟ୍ରୋଏଣ୍ଟେରିଟିସ ଯେମିତି ରୋଗର ଚିକିତ୍ସା କରିପାରିବ, ଯାହାକି ଲୋକଙ୍କ ଭୁଲ ଧାରଣା । ଏମିତି ସଂକ୍ରମଣ ମଧ୍ୟରୁ ଅଧିକାଂଶ ଭୂତାଣୁ ଜନିତ କାରଣରୁ ହୋଇଥାଏ ଓ ଏହି ଚିକିତ୍ସାରେ ଆଣ୍ଟିବାୟୋଟିକ ଔଷଧର କୈାଣସି ଭୂମିକା ନଥାଏ ।

ଅନ୍ୟପଟେ ଏଟନା ଇଣ୍ଡିଆର ପ୍ରବନ୍ଧକ ନିର୍ଦ୍ଦେଶକ ମାନସିଜ ମିଶ୍ରା କହିଛନ୍ତି, ଆଣ୍ଟିବାୟୋଟିକ ପ୍ରତିରୋଧ ଏକ ସଂକଟ ଅଟେ, ଯାହା ବିଶ୍ୱ ସ୍ତରରେ ସମସ୍ତଙ୍କୁ ପ୍ରଭାବିତ କରୁଛି । ଏକ ସାର୍ବଜନିକ, ବହୁମୁଖୀ ରଣନୈତିକ ସମାଧାନ ସହିତ ଏବେ ଆମକୁ ଏହି ମାମଲାକୁ ସମାଧାନ କରିବାର ଆବଶ୍ୟକତା ଅଛି । ରିପୋର୍ଟ ଅନୁସାରେ ଏହି ଔଷଧର ବିକ୍ରି ଦୁନିଆରେ ୭୬ଟି ଗରୀବ ଦେଶରେ ଦ୍ରୁତ ଗତିରେ ବଢ଼ୁଛି ।