ସରକାରକୁ ଆସୁ ଆସୁ ଆକ୍ସନ ମୋଡରେ ଯୋଗୀ ସରକାର : ରାଜ୍ୟରେ ବୁଲିଲା ଆଂଟି ରୋମିଓ ସ୍କ୍ୱାଡ

340

କନକ ବ୍ୟୁରୋ : ଏଣିକି ସାବଧାନ ରୋଡ ରୋମିଓ । ଆଉ ଚଳିବ ନି ରୋମିଓ ରାଜ୍ । ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ଆରମ୍ଭ ହୋଇଛି ରୋମିଓ ହଟାଓ ଅଭିଯାନ । ଉତରପ୍ରଦେଶର ସମସ୍ତ ସହରର କଲେଜ, ସ୍କୁଲ ଆଗରେ ପଇଁତରା ମାରୁଛନ୍ତି ପୋଲିସ । ଅନାବଶ୍ୟକ ଭାବେ ଠିଆ ହୋଇଥିବା ଯୁବକଙ୍କୁ ହଟାଉଛନ୍ତି । ଅନେକଙ୍କୁ ଗିରଫ କରି ନେଇଛି ପୋଲିସ । ଏହା ନିୟମିତ ହେବ ବୋଲି ସ୍ପଷ୍ଟ କରିଛି ପୋଲିସ ।

ଆରପଟେ ସରକାରଙ୍କ ଏହି ଆଂଟି ରୋମିଓ ସ୍କ୍ୱାର୍ଡକୁ ସ୍ୱାଗତ କରିଛନ୍ତି ଛାତ୍ରୀ ଓ ଅଭିଭାବକ । କେବଳ ସ୍କୁଲ କଲେଜ ନୁହେଁ, ବିଭିନ୍ନ ଐତିହାସିକ କିର୍ତୀରାଜି ଏବଂ ସାର୍ବଜନୀନ ସ୍ଥାନ ଉପରେ ବି କଡା ନଜର ରଖିଛି ପୋଲିସ । ଏଠାକାର ମାହୋଲ ସଂସ୍କୃତି ସଂପନ୍ନ କେମିତି ହେବ ସେନେଇ ଅଭିଯାନ ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ସର୍ବସମ୍ମୁଖରେ ଉଠାବସା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଉତରପ୍ରଦେଶ ବିଧାନସବା ନିର୍ବାଚନ ବେଳେ ବିଜେପି ନିଜ ଇସ୍ତାହାରରେ ଆଂଟି ରୋମିଓ ସ୍କ୍ୱାର୍ଡ ଗଠନ ନେଇ ପ୍ରତିଶ୍ରୁତି ଦେଇଥିଲା । ଆଉ ଯୋଗୀ ଆଦିତ୍ୟନାଥ ଉତର ପ୍ରଦେଶ ଶାସନ ଭାର ହାତକୁ ନେବା ପରେ ଆକ୍ସନ ମୋଡକୁ ଆସିଯାଇଛନ୍ତି । ବାଟ ଘାଟରେ ଝିଅ, ମହିଳାଙ୍କୁ ହଇରାଣ କରୁଥିବା ରୋଡ ରୋମିଓଙ୍କୁ ସାବାଡ କରିବେ ସରକାର ।