ରାଜ୍ୟରେ ର୍ୟାଗିଂ ରୋକିବା ପାଇଁ ଗଠନ ହେଲା ଆଣ୍ଟି ର୍ୟାଗିଂ ସେଲ୍ : ଅଭିଯୋଗ ପାଇଁ ଜାରି ହେଲା ୟୁଜିସିର ହେଲପ୍ଲାଇନ୍ ନମ୍ବର ୧୮୦୦-୧୮୦-୫୫୨୨
କନକ ବ୍ୟୁରୋ : କ୍ୟାମ୍ପସ ର୍ୟାଗିଂରେ ଓଡ଼ିଶା ଆଗରେ। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକୁ ପଛରେ ପକାଇ ଓଡ଼ିଶା ଆଗୁଆ ୫ ରାଜ୍ୟ ମଧ୍ୟରେ ରହିଛି । ଗତ ୫ବର୍ଷ ହେଲା ଓଡ଼ିଶାରେ ର୍ୟାଗିଂ ଉଦ୍ବେଗଜନ ଭାବେ ବଢ଼ୁଥିବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ରିପୋର୍ଟ ଦେବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଣ୍ଟି ର୍ୟାଗିଂ ସେଲ୍କୁ କାର୍ଯ୍ୟକ୍ଷମ କରିବା ସହ କ୍ୟାମ୍ପସରେ ପୋଷ୍ଟର ମାରିଛନ୍ତି । ଯଦି କୌଣସି ଛାତ୍ରଛାତ୍ରୀ ର୍ୟାଗିଂ ଘଟଣାରେ ସମ୍ପୃକ୍ତ ରୁହନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଣ୍ଟି-ର୍ୟାଗିଂ ସେଲ୍ କାର୍ଯ୍ୟକାରୀ କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଟିକିଏ ଆଗରେ ରହିଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଣ୍ଟି ର୍ୟାଗିଂ ସେଲ୍ ଗଠନ ହୋଇଛି । ଏଥିରେ ୭ଜଣ ସଦସ୍ୟ ରହିଛନ୍ତି । ବିଶ୍ୱବିଦ୍ୟାଳୟ ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସେଲ୍ର ନୋଡାଲ ଅଫିସର ରହିଥିବା ବେଳେ ହଷ୍ଟେଲ ଓ୍ଵାଡେନ୍, ଛାତ୍ର ସଂସଦ ଉପଦେଷ୍ଟା, ଡିଏସ୍ଡବ୍ଲୁ ପ୍ରମୁଖ ସଦସ୍ୟ ରହିଛନ୍ତିି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆଧାରରେ ଏମାନେ ତଦନ୍ତ କରି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ। କ୍ୟାମ୍ପସର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ଉତ୍କଳ ବ୍ୟତୀତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆଇଆଇଟି, ନାଇଜର, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଆଣ୍ଟି ର୍ୟାଗିଂ ସେଲ୍ ଗଠନ ଓ ପୋଷ୍ଟର ଲଗାଯାଇଛି ।
ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦୧୩ରୁ ୨୦୧୭ ମଧ୍ୟରେ ଓଡ଼ିଶାରେ ୨୦୭ଟି ର୍ୟାଗିଂ ଅଭିଯୋଗ ହୋଇଛି। ଫଳରେ ଦେଶରେ ଓଡ଼ିଶା ର୍ୟାଗିଂରେ ୪ ନମ୍ବର ସ୍ଥାନରେ ରହିଥିଲା । ୨୦୧୭ରେ ର୍ୟାଗିଂ ଅଭିଯୋଗ ବଢ଼ିଥିଲେ ମଧ୍ୟ ରାଜ୍ୟ ଦେଶରେ ଷଷ୍ଠ ସ୍ଥାନରେ ରହିଛି । ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ୧୪୩ଟି ର୍ୟାଗିଂ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୧୦୦, ପଶ୍ଚିମବଙ୍ଗରେ ୯୯, ବିହାରରେ ୫୩, କର୍ଣ୍ଣାଟକରେ ୪୯ ଓ ଓଡ଼ିଶାରେ ୪୬ଟି ଅଭିଯୋଗ ହୋଇଛି। ତାହାକୁ ଦୃଷ୍ଟିରେ ରଖି ଆମେ ପଦକ୍ଷେପ ନେଇଛୁ । ପ୍ରତି ଶିକ୍ଷାବର୍ଷ ଆରମ୍ଭରୁ ଏନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଥାଏ । ସମସ୍ତ ପ୍ରମୁଖ ବିଶ୍ୱବିଦ୍ୟାଳୟ ଆଣ୍ଟି-ର୍ୟାଗିଂ ସେଲ୍ ଗଠନ କରିଛନ୍ତି । ଯେଉଁମାନେ କରିନାହାନ୍ତି, ସେମାନଙ୍କୁ ପୁଣିଥରେ ଚିଠି ଲେଖାଯିବ । କ୍ୟାମ୍ପସର ବିଭିନ୍ନ ସ୍ଥାନରେ ର୍ୟାଗିଂ ସମ୍ପର୍କରେ ସୂଚନା ଲଗାଇବାକୁ କୁହାଯିବ ବୋଲି ଅଧିକାରୀଜଣଙ୍କ କହିଛନ୍ତି ।