ରାଜ୍ୟରେ ସ୍ୱାଇନ ଫ୍ଲୁ ଆତଙ୍କ ଜାରି ! ଆଜି ପୁଣି ୨ ରୋଗୀଙ୍କ ମୃତ୍ୟୁ

30

କନକ ବ୍ୟୁରୋ: ରାଜ୍ୟରେ ସ୍ୱାଇନ ଫ୍ଲୁର ଆତଙ୍କ ଜାରି । ଆଜି ପୁଣି ୨ ଜଣ ରୋଗୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଦୁଇ ରୋଗୀ ଏସିସିବି ଓ ବୁର୍ଲାରେ ଚିକତ୍ସିତ ହେଉଥିଲେ । ବର୍ତ୍ତମାନ ରାଜ୍ୟରେ ସ୍ୱାଇନ ଫ୍ଲୁରେ ମୃତ୍ୟୁ ସଂଖ୍ୟା ୬ରେ ପହଂଚିଛି । ମୃତକ ଜଣକ ଜଗତସିଂହପୁର ତିର୍ତ୍ତୋଲ ଅଂଚଳର ବୋଲି ଜଣାପଡିଛି ।

ସ୍ୱାଇନ ଫ୍ଲୁରେ ଏସସିବିର ଜଣେ ମହିଳା ଡାକ୍ତର ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ରକ୍ତ ନମୁନାରେ ଏଚୱାନଏନୱାନ ଭୂତାଣୁ ରହିଥିବା ଯାଂଚରୁ ଜଣାପଡିଥିଲା। ତେବେ କଟକ ବଡ ମେଡିକାଲ ଡାକ୍ତରଙ୍କ ସୂଚନା ଅନୁଯାୟୀ ଏବେ କଟକ ମେଡିକାଲରେ ୯ଜଣ ରୋଗୀ ସ୍ୱାଇନ୍ ଫ୍ଲୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ରକ୍ତରେ ଏଚୱାନଏନୱାନ ପଜିଟିଭ୍ ରହିଥିବା ରକ୍ତନମୁନା ଯାଂଚରୁ ଜଣାପଡିଛି ।

୭ଜଣଙ୍କର ରକ୍ତନମୁନା ଯାଂଚ ପାଇଁ ପଠାଯାଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଭେଂଟିଲେଟରରେ ରଖାଯାଇଛି । ସେପଟେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଏଯାଏଁ ରାଜ୍ୟରେ ଏଚୱାନଏନୱାନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଛୁଇଁଛି । ଏହା ସହିତ ଏହି ରୋଗରେ ଚଳିତ ବର୍ଷ ରାଜ୍ୟରେ ୬ଜଣଙ୍କର ମୃତ୍ୟୁ ଘଟିଲାଣି ।

ଅନ୍ୟପଟେ ରାଜ୍ୟରେ ସ୍ୱାଇନ୍-ଫ୍ଲୁର ଆତଙ୍କକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲର ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡରେ ଥିବା ଆଇସୋଲେସନ୍ ଆଇସିୟୁରେ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲର ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡରେ ଭେଣ୍ଟିଲେଟରର ବ୍ୟବସ୍ଥା ନ ଥିବା ନେଇ ଅଭିଯୋଗ ହେବା ପରେ କର୍ତୃପକ୍ଷ ଆଜି ତତ୍ପରତା ଦେଖାଇଛନ୍ତି । ଏହାସହ ୪ଟି ମନିଟରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆହୁରି ୩ଟି ମନିଟର ହସ୍ପିଟାଲକୁ ଯୋଗାଇ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ ।

ସୂଚନା ଅନୁଯାୟୀ, ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡରେ ଭେଣ୍ଟିଲେଟରର ବ୍ୟବସ୍ଥା କରିବାକୁ ସରକାରଙ୍କ ନିୟମ ରହିଛି । ଚଳିତମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକୁ ଗାଇଡଲାଇନ୍ ଜାରି କରାଯାଇଥିଲା । ଏଥିରେ ଭେଣ୍ଟିଲେଟର୍ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦେଶ ରହିଥିଲା । ମାତ୍ର କ୍ୟାପିଟାଲ ହସ୍ପିଟାଲରେ ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡ ଖୋଲିଥିଲେ ହେଁ ଭେଣ୍ଟିଲେଟର୍ ଲାଗିପାରି ନ ଥିଲା । ତେବେ ଏଥିପାଇଁ ଅଭିଯୋଗ ହେବା ପରେ ଆଜି ହସ୍ପିଟାଲ କତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି ।