ଡାକ୍ତର ସାଜିଛନ୍ତି ଔଷଧ ଦୋକାନ ମାଲିକ: ଷ୍ଟେଥୋସ୍କୋପ ପକାଇ କରୁଛନ୍ତି ରୋଗୀଙ୍କୁ ଚିକିତ୍ସା; ନିଜକୁ କହୁଛନ୍ତି ଏମବିବିଏସ୍ ହେଲେ କଲେଜର ନାଁ ମନେ ନାହିଁ

ଚର୍ଚ୍ଚାରେ ସୁନ୍ଦରଗଡ଼ର ଆତ୍ମଘୋଷିତ ଡାକ୍ତର

646

କନକ ବ୍ୟୁରୋ: ସୁନ୍ଦରଗଡର ନକଲି ଡାକ୍ତର କାହାଣୀ ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ସେହି ସୁନ୍ଦରଗଡ ଜିଲ୍ଲାରୁ ଆଜି ଆସିଛି ଆଉ ଜଣେ ନକଲି ଡାକ୍ତରୀଙ୍କ ଫର୍ଜରୀ । ଏହି ନକଲି ଡାକ୍ତରଙ୍କ ନାଁ ହେଉଛି ଚକ୍ରନ୍ତ ବେହେରା । ଆଉ ସତକୁ ସତ ଡାକ୍ତର ହେବା ପାଇଁ ସେ ଏଭଳି ଚକ୍ରନ୍ତ କରିଛନ୍ତି ଯାହା ଜାଣିଲେ ଆପଣ ବି ଆଶ୍ଚଯ୍ୟ ହୋଇଯିବ । ଛୋଟିଆ ଔଷଧ ଦୋକାନ ଟିଏ କରି ଜମାଇଛନ୍ତି ଘରୋଇ ଡାକ୍ତରଖାନାର ଆସର ।

 

ଡାକ୍ତର ସାଜିଛନ୍ତି ଔଷଧ ଦୋକାନ ମାଲିକ । ଚର୍ଚ୍ଚାରେ ସୁନ୍ଦରଗଡ଼ର ଆତ୍ମଘୋଷିତ ଡାକ୍ତର । ଔଷଧ ଦୋକାନରେ ଷ୍ଟେଥୋସ୍କୋପ ପକାଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଏହି ନକଲି ଡାକ୍ତର । ଖାଲି ସେତିକି ନୁହେଁ ଦେକାନ ଭିତରେ ଥିବା ଆଉ ଏକ ରୁମରେ ଇନଡୋର ପ୍ରାକଟିସ କରନ୍ତି ଏହି ସାର ଜଣକ । ଇନଡୋରରେ ରୋଗୀ ମାନଙ୍କୁ ଚିକିତ୍ସା କରାଯାଉଥିବା ସମସ୍ତ ସାମଗ୍ରୀ ଏଠାରେ ମହଜୁଦ ରହିଛି । ରକ୍ତ ପରୀକ୍ଷା ମେସିନଠାରୁ ଆରମ୍ଭ କରି ନେବୁଲାଇଜର୍ ସହ ସମସ୍ତ ସାମଗ୍ରୀ ଉପଲବ୍ଧ ରହିଛି, ଯାହା ରୋଗୀଙ୍କୁ ଇନଡୋର ଚିକିତ୍ସା ପାଇଁ ଆବଶ୍ୟକ ।

ତେବେ ବଡ କଥା ହେଉଛି ଏହି ଡାକ୍ତର ନିଜକୁ ଜଣେ ଏମବିବିଏସ ବୋଲି କହୁଛନ୍ତି, ହେଲେ ନିଜ କଲେଜର ନାଁ ବି ତାଙ୍କର ମନେ ନାହିଁ । କହୁଛନ୍ତି କଲିକତାର ଏକ ଘରୋଇ କଲେଜରେ ଅଲଟରନେଟିଭ ମେଡିସିନରେ ସେ ଏମବିବିଏସ ବି ପାସ କରିଛନ୍ତି । ଆଉ କିଛି ସାର୍ଟିଫିକେଟ ମଧ୍ୟ ଦେଖାଉଛନ୍ତି । ହେଲେ ସେ, ମେଡିକାଲ କାଉନସିଲ ଅଫ ଇଣ୍ଡିଆ, କି ମେଡିକାଲ କାଉନସିଲ ଓଡିଶାଙ୍କ ନିକଟରେ ରେଜିଷ୍ଟ୍ରେସନ ବି କରିନାହାନ୍ତି । ଏହିଭଳି କି ତାଙ୍କର କ୍ଲିନିକାଲ ଏଷ୍ଟାବ୍ଲିଷ୍ଟମେନ୍ଟ ସାଟିଫିକେଟ ମଧ୍ୟ ନାହିଁ । ଆଉ ଏହାରି ଭିତରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ।

ଏପଟେ ନକଲି ଡାକ୍ତର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କହିଛନ୍ତି-ନକଲି ଡାକ୍ତରଙ୍କ ଉପରେ ଲଗାମ ଲଗାଇବା ପାଇଁ ଏକ କମିଟି ଗଠନ କରାଯିବ । ଏହି କମିଟି ରାଜ୍ୟର ବିଭିନ୍ନ ଜିଲ୍ଲା ଯାଇ ଏଭଳି ଅଭିଯୋଗର ଅନୁଧ୍ୟାନ କରିବ ।