ଓଡିଶାବାସୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଯାଜପୁରର ଆଉ ୧୫ କରୋନା ଆକ୍ରାନ୍ତ; ମୋଟ ସୁସ୍ଥଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

1,326

କନକ ବ୍ୟୁରୋ:  ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ଏକା ସାଙ୍ଗରେ ଯାଜପୁରର ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଚିକିତ୍ସା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଥିବା  ଜଣାପଡ଼ିଛି ।

ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରୁ ୯, ଭୁବନେଶ୍ୱରରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ଗଂଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨-୨ ଓ କୋରାପୁଟ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ  । ଏଥି ସହ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଥିଲା।

ଆଜି ସକାଳେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଥିଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ପରେ ପରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ରାଜକନିକା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ଥିଲେ । ତା’ଛଡ଼ା ଏମାନେ ସୁରତ ଫେରନ୍ତା ବୋଲି ସୂଚନା ଦେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ଏହି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି ।