ଆଶ୍ଚର୍ଯ୍ୟ କରିଦେବ ‘ଆସର’ ରିପୋର୍ଟ । ତୃତୀୟ ଶ୍ରେଣୀ ପିଲା ଚିହ୍ନିପାରୁନାହାନ୍ତି ସଂଖ୍ୟା କି ଅକ୍ଷର । ରାଜ୍ୟର ରାଜଧାନୀ ଥିବା ଖୋର୍ଦ୍ଧା ଜିଲ୍ଲାରୁ ଆସିଲା ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର
କନକ ବ୍ୟୁରୋ: ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଅକ୍ଷର କି ଶବ୍ଦ ପଢ଼ି ପାରୁନାହାନ୍ତି। ଖାଲି ସେତିକି ନୁହେଁ, ଗଣିତରେ ବି ଦୁର୍ବଳ ରହିଛନ୍ତି। ସଂଖ୍ୟା ଚିହ୍ନିପାରୁ ନାହାନ୍ତି, ମିଶାଣ, ଫେଡ଼ାଣ କରିପାରୁ ନାହାନ୍ତି। ଏହା ଆଉ କେଉଁ ଅଞ୍ଚଳର ଦୃଶ୍ୟ ନୁହେଁ। ବରଂ ଖୋଦ୍ ରାଜ୍ୟର ରାଜଧାନୀ ଥିବା ଖୋର୍ଧା ଜିଲ୍ଲାର ପ୍ରାଥମିକ ଶିକ୍ଷା ବିକଳ ଚିତ୍ର ଏମିତି। ଜାତୀୟସ୍ତରରେ ପ୍ରକାଶିତ ଆନୁଆଲ ଷ୍ଟାଟସ୍ ଅଫ୍ ଏଜୁକେସନ ରିପୋର୍ଟ(ଆସର)ରେ ଏଭଳି ଆଶ୍ଚର୍ଯ୍ୟ କଲା ଭରି ତଥ୍ୟ ପଦାକୁ ଆସିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁଯାୟୀ ତୃତୀୟ ଶ୍ରେଣୀରେ ପଢ଼ୁଥିବା ୭.୩% ପିଲା ଅକ୍ଷର ପଢ଼ିପାରୁ ନାହାନ୍ତି। ୪.୮% ପିଲା ଅକ୍ଷର ପଢ଼ୁଥିଲେ ମଧ୍ୟ ଶବ୍ଦ ଚିହ୍ନିପାରୁ ନାହାନ୍ତି। ୮୦.୪% ପିଲା ଶବ୍ଦ ଚିହ୍ନୁଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ପାଠ ପଢ଼ିପାରୁ ନାହାନ୍ତି। ଏହି ଶ୍ରେଣୀର ୨.୯% ପିଲା ୧ରୁ ୯ ପର୍ଯ୍ୟନ୍ତ ସଂଖ୍ୟା ଚିହ୍ନି ପାରୁ ନାହାନ୍ତି। ୧୪.୮% ପିଲା ୧ରୁ ୯ ପର୍ଯ୍ୟନ୍ତ ସଂଖ୍ୟା ଚିହ୍ନୁଥିଲେ ମଧ୍ୟ ୯୯ ପର୍ଯ୍ୟନ୍ତ ସଂଖ୍ୟା ଠିକ୍ ଭାବେ ଚିହ୍ନଟ କରିପାରୁ ନଥିବା ଦେଖିବାକୁ ମିଳିଛି। ହରଣ, ଗୁଣନ ତ ଦୂରର କଥା ମିଶାଣ ଓ ଫେଡ଼ାଣରେ ବି ୩ୟ ଶ୍ରେଣୀର ପିଲାମାନେ ଦୁର୍ବଳ। ପାଖାପାଖି ୧୪ ପ୍ରତିଶତ ପିଲା ମିଶାଣ କରି ପାରୁ ନ ଥିବା ବେଳେ ୨୧% ଫେଡ଼ାଣ କରିପାରୁ ନ ଥିବା ରିପୋର୍ଟରେ କୁହାଯାଇଛି। ତେବେ ୮ ବର୍ଷ ବୟସର ଜିଲ୍ଲାର ସବୁ ପିଲା ସ୍କୁଲ ଯାଉଛନ୍ତି। ୪ ବର୍ଷ ବୟସର ୬୩.୧% ପିଲା ଅଙ୍ଗନବାଡି ଯାଉଥିବା ବେଳେ ୨୮.୫% ପିଲା ଘରୋଇ ବିଦ୍ୟାଳୟକୁ ଯାଉଛନ୍ତି। ୮ ବର୍ଷ ବୟସର ୭୧% ପିଲା ସରକାରୀ ଓ ୨୮.୮% ପିଲା ଘରୋଇ ବିଦ୍ୟାଳୟକୁ ଯାଉଛନ୍ତି। ମୁଖ୍ୟତଃ ୬ ବର୍ଷ ବୟସରେ ପିଲାମାନେ ସ୍କୁଲ ମାଟି ମାଡ଼ୁଛନ୍ତି। ୬ ବର୍ଷ ବେଳକୁ ପାଖାପାଖି ୫୮.୧% ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଉଛନ୍ତି। ୫ ବର୍ଷ ବୟସରେ ବି ପ୍ରାୟ ୨୦ ପ୍ରତିଶତ ପିଲା ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି। ୪ ବର୍ଷ ବୟସରୁ ପିଲାମାନେ ପ୍ରି-ସ୍କୁଲ ଯାଉଛନ୍ତି। ହାରାହାରି ୯୧.୮% ପିଲା ପ୍ରି ସ୍କୁଲ ଯାଉଛନ୍ତି। ଏହି ବୟସରୁ ୫.୮% ପିଲା ଷ୍ଟାଣ୍ଡାର୍ଡ-୧ରେ ପଢ଼ୁଛନ୍ତି।
ଘରୋଇ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିଲେ ମଧ୍ୟ ଏବେ ଅଧିକାଂଶ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢ଼ୁଛନ୍ତି। ପ୍ରଥମ ଶ୍ରେଣୀରେ ଜିଲ୍ଲାର ୬୭.୩% ପିଲା ସରକାରୀ ବିଦ୍ୟାଳୟ ଓ ୩୨.୭% ପିଲା ଘରୋଇ ବିଦ୍ୟାଳୟରେ ପଢ଼ୁଛନ୍ତି। ଦ୍ବିତୀୟ ଶ୍ରେଣୀରେ ୬୩.୫% ସରକାରୀ ଓ ୩୬.୫% ଘରୋଇ ବିଦ୍ୟାଳୟ, ତୃତୀୟ ଶ୍ରେଣୀର ୭୫.୭% ସରକାରୀ ଓ ୨୪.୩% ପିଲା ଘରୋଇ ବିଦ୍ୟାଳୟକୁ ଯାଉଛନ୍ତି। ୮ ବର୍ଷ ବୟସରେ ପାଖାପାଖି ୪.୪% ପିଲା ସ୍କୁଲ ଯାଉଛନ୍ତି। ୪ ବର୍ଷ ବୟସର ୭୩.୬% ପିଲା ଗୋଟିଏ ଜିନିଷକୁ ସଜେଇ ପାରୁଥିବା ବେଳେ ୬୬.୨% ପିଲା ଛବିର ବର୍ଣ୍ଣନା କରିପାରୁଛନ୍ତି, ୨୧.୧% ପିଲା ଶୁଣି କରି କହିପାରୁଛନ୍ତି, ୩୦.୭% ସଂଖ୍ୟା ଗଣିପାରୁଛନ୍ତି, ୪୧.୩% ତୁଳନା କରିପାରୁଥିବା ଜଣାପଡ଼ିଛି। ୪ ବର୍ଷ ବୟସର ୩୫.୯% ପିଲା ଖୁସି, ଦୁଃଖ, ରାଗି, ଭୟ ଆଦି ଆବେଗକୁ ବୁଝିପାରୁଥିବା ବେଳେ ୮ ବର୍ଷ ବୟସର ୩୨% ପିଲା ତାହା ଜାଣିପାରୁ ନାହାନ୍ତି। ସାରା ଦେଶରେ କରାଯାଇଥିବା ଏହି ସର୍ଭେ ରିପୋର୍ଟ ଆଜି ପ୍ରକାଶ କରାଯାଇଛି। ଏଥର ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବେ ଖୋର୍ଧାକୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ଜିଲ୍ଲାର ୬୦ଟି ଗାଁ, ୧୧୫୯ ପରିବାର ଓ ୧୨୫୨ ଛାତ୍ରଛାତ୍ରୀଙ୍କୁ ନେଇ ସର୍ଭେ ହୋଇଥିଲା। ଯେଉଁଥିରେ କେବଳ ୪ରୁ ୮ ବର୍ଷ ବୟସର ପିଲାମାନଙ୍କୁ ସାମିଲ କରାଯାଇଥିଲା ବୋଲି ‘ପ୍ରଥମ’ର ଡକ୍ୟୁମେଣ୍ଟେସନ ଅଫିସର ପ୍ରଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।