ଚାଷୀଙ୍କୁ ପେନସନ ଦେବା ପାଇଁ ଚାଷୀ ସମାବେଶରେ ଦାବି ଉଠାଇଲେ ଆନ୍ନା ହଜାରେ : ଲଢେଇକୁ ନିର୍ଣ୍ଣାୟକ ମୋଡ ଦେବା ପାଇଁ କର ବା ମରର ଦେଲେ ଆହ୍ୱାନ

25

କନକ ବ୍ୟୁରୋ : ଏକାଠି ହେଲେ ଓଡ଼ିଶାର ଚାଷୀ, ଏଣିକି ଏକଜୁଟ୍ ହେବ ସାରା ଦେଶର ଚାଷୀ । ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବା ପାଇଁ ଆହ୍ୱାନ ଦେଇଛନ୍ତି ଗାନ୍ଧୀବାଦୀ ନେତା ଆନ୍ନା ହଜାରେ । ଆଉ ଦେଶରେ ଏକ ବଡ଼ଧରଣର ଚାଷୀ ଆନ୍ଦୋଳନର ମୂଳଦୁଆ ପଡ଼ିଛି ଓଡ଼ିଶାରୁ । ଆନ୍ନା ଦେଇଛନ୍ତି କର ବା ମରର ଡାକରା । କହିଛନ୍ତି- ଚାଷୀ ଆନ୍ଦୋଳନକୁ ଏଭଳି ତୀବ୍ର କରି ଦିଆଯିବ ଯେମିତି ଜେଲରେ ଚାଷୀଙ୍କୁ ରଖିବାକୁ ଜାଗା ଅଭାବ ପଡ଼ିବ ।

ଚାଷୀର ଏହି ହକର ଲଢ଼େଇ ଏଣିକି ଏକ ଆନ୍ଦୋଳନ ରୂପରେ ପୁରା ଦେଶକୁ ବ୍ୟାପିବ । ପର୍ଯ୍ୟାୟକ୍ରମେ ୮ଟି ରାଜ୍ୟରେ ଚାଷୀ ଆନ୍ଦୋଳନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା କହିଛନ୍ତି ଆନ୍ନା ହଜାରେ । ଚାଷୀଙ୍କୁ ଉତ୍ପାଦିତ ଫସଲର ଦେଢ଼ଗୁଣା ଦାମ, ଏବଂ ୬୦ ବର୍ଷ ଟପିଲା ପରେ ପେନସନ୍ ଦାବି ଉପରେ ଜୋରଦେଇଛନ୍ତି ଆନ୍ନା । ଆଉ ଏସବୁ ଭିତରେ ସରକାରଙ୍କ ଚାଷୀ ମାରଣନୀତିକୁ ସମାଲୋଚନା ବି କରିଛନ୍ତି ।

ଆନ୍ନା ହଜାରେ, ଚାଷୀ ସମସ୍ୟା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟି କରିଥିବା ବେଳେ ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଶାସନ ଗାଦିରେ ବସିଥିବା ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କର୍ତବ୍ୟକୁ ମନେପକାଇ ଦେଇଛନ୍ତି । ଆଉ ଆବଶ୍ୟକ ପଡ଼ିଲେ ରାଜନେତାଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ରହିବା ପାଇଁ ଆହ୍ୱାନ କରିଛନ୍ତି ।

ଏପଟେ ସବୁ ଜାଣି ଯେମିତି ଅଜଣା ପାଲଟିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । ସଂଗଠନ କେବେ ଆସି ଆଲୋଚନା କରିନି ବୋଲି ସଫେଇ ରଖିଛନ୍ତି କୃଷିମନ୍ତ୍ରୀ । ଓଡ଼ିଶାର ଚାଷୀ ଆନ୍ଦୋଳନକୁ ଆନ୍ନାଙ୍କ ସମର୍ଥନ ଏହି ଅଭିଯାନକୁ ଏକ ନୂଆ ଦିଶା ଦେଇଛି । ୮ଟି ରାଜ୍ୟରେ ଏହି ଆନ୍ଦୋଳନ ଆଗେଇ ନେବାକୁ ଆନ୍ନାଙ୍କ ଦୃଢ଼ୋକ୍ତି, ସାରା ଦେଶରେ ଚାଷୀ ଆନ୍ଦୋଳନକୁ ଏକ ନୂଆ ରୂପରେ ଛିଡ଼ା କରିବାର ବେଶ ସୁଯୋଗ ରହିଛି ।