ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ୭ ଦିନ ପରେ ଅନଶନ ଭାଙ୍ଗିଲେ ଆନ୍ନା !

190

କନକ ବ୍ୟୁରୋ: ଅନଶନରୁ ଓହରିଲେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ମଙ୍ଗଳବାର ସଂଧ୍ୟାରେ ଆଲୋଚନା ହେବା ପରେ ୭ ଦିନ ଧରି ଜାରି ରଖିଥିବା ଆମରଣ ଅନଶନକୁ ଭଙ୍ଗ କରିଛନ୍ତି ଆନ୍ନା । ଜାଣିବାକୁ ମିଳିଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆନ୍ନାଙ୍କର ଦାବି ପୂରଣ ନେଇ କଥା ହେବା ପରେ ଆନ୍ନା ଅନଶନରୁ ଓହରିଛନ୍ତି । ଆନ୍ନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ସହ ସନ୍ତୋଷଜନକ ଆଲୋଚନା ପରେ ସେ ନିଜ ଅନଶନ ଭଙ୍ଗ କରିଛନ୍ତି ।

ସୂଚନା ମୁତାବକ ମୋଦି ସରକାରଙ୍କୁ ବାରମ୍ବାର ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିରେ ଅହେତୁକ ବିଳମ୍ବ କରୁଥିବା ହେତୁ ଏହାକୁ ତୀବ୍ର ବିରୋଧ କରି ଆସୁଛନ୍ତି ଆନ୍ନା । ଏନେଇ ଜାନୁୟାରୀ ୩୦ ତାରିଖରୁ ତାଙ୍କ ନିଜ ଗାଁରେ ଅନଶନରେ ବସିଥିଲେ ଆନ୍ନା ହଜାରେ। ଏପରିକି ୮୧ ବର୍ଷ ବୟସ୍କ ଏହି ସମାଜସେବୀ ଅନଶନରେ ବସିଥିବା ସମୟରେ ସାଲଇନ୍ ଓ ଓଆରଏସ୍ ନେବାକୁ ମଧ୍ୟ ମନା କରି ଦେଇଥିଲେ। ଫଳରେ ଆନ୍ନାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ଏହାପରେ ଆନ୍ନା ମଧ୍ୟ କହିଥିଲେ ଯେ, ଯଦି ମୋର କିଛି ହୁଏ ତେବେ ଏହାର ଦାୟୀ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏପରିକି ଆନ୍ନାଙ୍କ ଉପବାସ ତାଙ୍କ କିଡ୍ନି ଓ ମସ୍ତିଷ୍କକୁ ପ୍ରଭାବିତ କରିପାରେ ବୋଲି ଡାକ୍ତର ମଙ୍ଗଳବାର ସକାଳେ ଚିକିତ୍ସା କରି ମତ ରଖିଥିଲେ । ଦୀର୍ଘ ୭ ଦିନ ଅନଶନରେ ବସିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଭାବେ ବିଗିଡ଼ି ଯାଇଥିଲା। ଏତେ ଦିନ ଅଖିଆ ଅପିଆ ରହିବା ପରେ ଆନ୍ନାଙ୍କ ଓଜନ ୫.୫ କିଲୋ ହ୍ରାସ ଘଟିଛି ବୋଲି ଡାକ୍ତର ସୂଚନା ଦେଇଥିଲେ। ତାଙ୍କ ରକ୍ତରେ ଶର୍କରା ପରିମାଣ ମଧ୍ୟ କମ୍ ହୋଇ ଯାଇଥିଲା ।