ହାଇପ୍ରୋଫାଇଲର ଚାକିରି ଛାଡି ଯୋଗୀ ବନିଗଲେ ଯୁବକ । ପଢନ୍ତୁ ଜଣେ ୨୯ ବର୍ଷୀୟ ଇଂଜିନିୟରଙ୍କ ଆଶ୍ଚର୍ଯ୍ୟକର କାହାଣୀ

48

ସମୟ ବେଳେ ବେଳେ ମଣିଷକୁ ଏଭଳି ପରିବର୍ତନର ରାସ୍ତା ଦେଖାଇଥାଏ ଯାହା ଆମ କଳ୍ପନାର ବାହାରେ । ସେହିଭଳି ଏକ ନୂତନ ପରିବର୍ତନର ଧାରା ଦେଖିବାକୁ ମିଳିଛି ଜଣେ ଜ୍ଞାନୀ ଛାତ୍ରଙ୍କ ନିକଟରେ । ଆଇଆଇଟି ମୁମ୍ବାଇରେ କେମିକାଲ ଇଂଜିନିୟରିଂ ପାଠପଢା ଶେଷ କରିଥିବା ୨୯ ବର୍ଷୀୟ ସଂକେତ ପାରେଖଙ୍କ ଜୀବନରେ ନାଟକୀୟ ପରିବର୍ତନ ଦେଖିବାକୁ ମିଳିଛି । ସିନିୟରଙ୍କ ସହ ଅନଲାଇନ ଚାଟ କରିବା ପରେ ତାଙ୍କ ଜୀବନରେ ଦିଗ ବଦଳାଇଛନ୍ତି । ଭଲ ଚାକିରି ଅଛି ଓ ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବାର ଯୋଜନା ବି କରିଥିଲେ ।

କିନ୍ତୁ ପାଣି ଫୋଟକା ଭଳି ଗୋଟିଏ ମିନିଟରେ ବଦଳିଗଲା ସବୁ ନିଷ୍ପତ୍ତି । ସଂକେତଙ୍କ ସହ ୧୬ ଜଣ ଜାନୁୟାରୀ ୨୨ରେ ଜୈନ ଦୀକ୍ଷା ନେବା ପାଇଁ ଠିକ କରିସାରିଛନ୍ତି । ଏମାନେ ସମସ୍ତେ ଜୈନ ଗୁରୁ ଯୁଗଭୂଷଣ ସୁରୀଙ୍କ ନିକଟରେ ପାଠ ପଢୁଥିଲେ । ପାରେଖ ବୈଷ୍ଣବ ଧର୍ମର ଥିଲେ କିନ୍ତୁ ଆଇଆଇଟି ପଢିବା ସମୟରେ ସିନିୟର ଭାଇଙ୍କ ସମ୍ପର୍କରେ ଆସି ଜୈନ ଧର୍ମ ପ୍ରତି ଆଗ୍ରହ ଦେଖାଇଥିଲେ ।

୨୦୧୩ରେ ସେ ଜୈନଧର୍ମ ପ୍ରତି ତାଙ୍କର ଦୁର୍ବଳତା ଦେଖାଇଥିଲେ । ସେ ପ୍ରଥମରୁ ନାସ୍ତିକ ଥିଲେ କିନ୍ତୁ କ୍ୟାରିୟରକୁ ନେଇ ସବୁବେଳେ ଗମ୍ଭୀର ରହୁଥିଲେ । କିନ୍ତୁ ଜୈନଧର୍ମରେ ସାମିଲ ହେବା ପର ଠାରୁ ଶାନ୍ତିରେ ରହୁଥିବା କହିଛନ୍ତି ସଂକେତ । ପାରେଖ କହିଛନ୍ତି ଶେଷ ବର୍ଷରେ କାନାଡରେ ଇଂଟର୍ନସିପ କରୁଥିବା ବେଳେ ସେ ଜୈନ ଭକ୍ତଙ୍କ ସହ ମିଶିଥିଲେ । ସେ ସେତେବେଳେ ଖୁବ କମ ମନ୍ତ୍ର ବୋଲୁଥିଲେ ।

ଏପରିକି ଆତ୍ମା ବିଷୟରେ ଜାଣିନଥିଲେ । ଏହା ତାଙ୍କୁ ଗବେଷଣା କରିବା ପାଇଁ ଆଗ୍ରହ ଦେଖାଇଥିଲା ବୋଲି ସେ କହିଛନ୍ତି । ତାପରେ ସଂକେତ ଜୈନ ଧର୍ମର ପୁସ୍ତକ ପଢିବା ଆରମ୍ଭ କରିଥିଲେ । ବର୍ତମାନ ସେ କୌଣସି ଅତ୍ୟାଧୁନିକ ଗେଜେଟ ବ୍ୟବହାର କରୁନାହାନ୍ତି । କମ୍ପ୍ୟୁଟର ବି ଧରୁନାହାନ୍ତି । ସେ ତାଙ୍କ ଦରମା ବିଷୟରେ କିଛି କହିନଥିଲେ କିନ୍ତୁ ବର୍ଷକୁ ୧୨ ଲକ୍ଷ ଟଂକା କେବଳ ଟାକ୍ସ ଦେଉଛନ୍ତି ବୋଲି କହିଥିଲେ । ତାଙ୍କ ବାପା ଅନେକ ଦିନ ଆଗରୁ ମୃତ୍ୟୁବରଣ କରିଛନ୍ତି । ତାଙ୍କ ମାଆଙ୍କୁ ସଂକେତ ବୁଝାଇଦେଇଛନ୍ତି କେବଳ ଏହି ରାସ୍ତାରେ ହିଁ ଶାନ୍ତି ମିଳିବ ।