ଲାକମେ ଫ୍ୟାଶନ୍ ସପ୍ତାହରେ ଚାଲିବେ ପ୍ରଥମ ଟ୍ରାନ୍ସଜେଣ୍ଡର ମଡେଲ୍ !

22

ଲାକମେ ଫ୍ୟାଶନ୍ ସପ୍ତାହରେ ଚାଲିବେ ପ୍ରଥମ ଟ୍ରାନ୍ସଜେଣ୍ଡର ମଡେଲ୍ ଅଂଜଳି ଲାମା । ନେପାଳର ଏକ ଛୋଟିଆ ଗାଁରେ ଜନ୍ମଗ୍ରହଣ କରିଥିବା ଅଂଜଳି ଟ୍ରାନ୍ସଜେଣ୍ଡର  ଜଣାପଡିବା ପରେ ପରିବାର ଦ୍ୱାରା ଉପେକ୍ଷିତ ହୋଇଥିଲେ । ସ୍ୱେଚ୍ଛାସେବୀ ସଂଗଠନ ବ୍ଲୁ ଡାଇମଣ୍ଡ ସୋସାଇଟି, ତାଙ୍କୁ ସମର୍ଥନ କରିବା ସହିତ ତାଙ୍କୁ କିଛି କରିବାର ସାହସ ଯୋଗାଇଥିଲା ।

ଅଂଜଳି ମଡେଲିଙ୍ଗର ବିଧିବଦ୍ଧ ତାଲିମ ନେଇଥିଲେ । ତାଲିମ ନେବା ପରେ ମଧ୍ୟ ଅଂଜଳି କିଛିଦିନ ପାଇଁ କିଛି କାମ ପାଇ ନ’ଥିଲେ । କିଛି ସୋ’ ପାଇଁ ସେ ମାଗଣାରେ ମଧ୍ୟ କାମ କରିବାକୁ ପଛାଇ ନଥିଲେ ।

ସ୍ଥାନୀୟ ଅଂଚଳରେ ସଫଳତା ପାଇବା ପରେ ଅଂଜଳି ଅନ୍ତର୍ଜାତୀୟ ସ୍ତରରେ ଲାକମେ ଫ୍ୟାଶନ୍ ସପ୍ତାହ ପାଇଁ ଅଡିଶନ ଦେଇଥିଲେ କିନ୍ତୁ ସେ ସେଠି ବି ପ୍ରତ୍ୟାଖିତ ହୋଇଥିଲେ ।

ବାରବାର ହତାଶ ହେଲାପରେ ସେ ଏକରକମ ଭାଙ୍ଗି ପଡିଥିଲେ ଏବଂ ଫ୍ୟାଶନ୍ ଜଗତ ଛାଡିବା ପାଇଁ ମଧ୍ୟ ଚାହୁଁଥିଲେ । କିନ୍ତୁ ଛାଡିବା ପୂର୍ବରୁ ଥରେ ଭାଗ୍ୟ ପରୀକ୍ଷା କରିବାକୁ ଚାହିଁଥିଲେ ଏବଂ ରିସର୍ଚ୍ଚ ମଧ୍ୟ କରିଥିଲେ ।

ମଡେଲ ମାନଙ୍କର ଭିଡିଓ ଦେଖିବା ସହ ଦର୍ପଣ ଆଗରେ ଅଭ୍ୟାସ ଜାରି ରଖିଥିଲେ ଅଂଜଳି । ଧୀରେ ଧୀରେ ତାଙ୍କର ପରିଶ୍ରମ ତାଙ୍କୁ ସଫଳତା ଆଣିଦେଇଥିଲା । ଅଂଜଳି ଏବେ ଜଣେ ଜଣାଶୁଣା ମଡେଲ, ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ଆପଣେଇ ନେଇଛନ୍ତି ।

କିଛି କରିବାର ଦୃଢ ଇଚ୍ଛାଶକ୍ତି ଥିଲେ ଯେ ସବୁକିଛି ବାଧାବିଘ୍ନକୁ ଅତିକ୍ରମ କରି ନିଜର ଲକ୍ଷ୍ୟସ୍ଥଳରେ ପହଂଚି ହେବ ତା’କୁ ପ୍ରମାଣିତ କରି ଦେଖାଇଛନ୍ତି ଅଂଜଳି ।