ଅନୀଲ ବୋକିଲଙ୍କୁ ନେଇ ଚର୍ଚ୍ଚା ! ଅନୀଲଙ୍କ ପ୍ରସ୍ତାବ ଯୋଗୁଁ ମୋଦିଙ୍କ ଚିନ୍ତାଧାରାରେ ପରିବର୍ତନ

43

କନକ ବ୍ୟୁରୋ : ମଙ୍ଗଳବାର ମଧ୍ୟରାତ୍ରିରୁ ଅଚଳ ହେଲା ୫ଶହ ଓ ୧ହଜାର ନୋଟ୍ । ଏହି ନୋଟ୍ ଅଚଳ କରିବା ନିଷ୍ପତି ପଛରେ କିଏ ରହିଛି । ତାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ଅର୍ଥକ୍ରାନ୍ତି ସଂସ୍ଥା ସଦସ୍ୟ ଅନିଲ ବୋକିଲ ଏହି ପ୍ରସ୍ତାବ ଆଣିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନିଲ ବୋକିଲ ଏହି ପ୍ରସ୍ତାବ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

କିଛି ମାସ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଅନିଲ ବୋକିଲ । ମୋଦିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କୁ ୯ମିନିଟ୍ ସମୟ ମିଳିଥିଲା । କିନ୍ତୁ ବଡ ନୋଟକୁ ଅଚଳ କରିବା ନେଇ ଅନିଲଙ୍କ ପ୍ରସ୍ତାବ ଶୁଣିବା ପରେ ମୋଦି ଏଥିପ୍ରତି ଆଗ୍ରହୀ ହୋଇ ପାଖାପାଖି ୨ଘଂଟା ପର୍ଯ୍ୟନ୍ତ ତାଙ୍କ ସହ ଆଲୋଚନା କରିଥିଲେ । ବଡ ଆକାରର ଟଙ୍କା କାରବାର କେବଳ ବ୍ୟାଙ୍କ ଜରିଆରେ ଡିମାଂଡ ଡ୍ରାଫ୍ଟ, ଚେକ୍ ଓ ଅନଲାଇନ ମାଧ୍ୟମରେ କରିବା ପାଇଁ ପ୍ରସ୍ତାବ ରଖିଥିଲେ ଅନିଲ ।

କ୍ୟାସ୍ ଟ୍ରାନଜେକସନ୍ ପାଇଁ ସୀମା ଧାର୍ଯ୍ୟ କରିବା ସହ କୌଣସି ଟିକସ ଲାଗୁ ନକରିବା, କେବଳ ଗୋଟିଏ ବ୍ୟାଙ୍କ ଜରିଆରେ ରାଜସ୍ୱ ଜମା କରିବା,କ୍ରେଡିଟ ଆକାଉଂଟରେ ବ୍ୟାଙ୍କ ଟ୍ରାନଜେକସନ ଟ୍ୟାକ୍ସ ୨ରୁ ୦.୭ ପ୍ରତିଶତ କରିବା ନେଇ ଅନିଲ ପ୍ରସ୍ତାବ ଦେଇଥିଲେ । ପୁଣେର ଇଞ୍ଜିନିୟର୍ସ ଓ ଚାର୍ଟାଡ ଆକାଉଂଟାଂଟକୁ ନେଇ ଗଠିତ ଏହି ସଂସ୍ଥା ପ୍ରଥମେ ମୋଦିଙ୍କୁ ୧୦୦, ୫୦୦ ଓ ୧୦୦୦ ନୋଟ୍ ଅଚଳ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ପ୍ରାୟ ଦେଢ ବର୍ଷ ପୂର୍ବରୁ ଅନିଲଙ୍କ ଟିମ୍ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏହି ପ୍ରସ୍ତାବ ଦେଇଥିବା  ଚର୍ଚ୍ଚା ହେଉଛି ।