ଭକ୍ତିମୟ ହେଲା ଅନୁଗୁଳ ଶୈଳଶ୍ରୀକ୍ଷେତ୍ର : ମା’ ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

93

କନକ ବ୍ୟୁରୋ : ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ବିଧି ଅନୁସାରେ ସକାଳୁ ନୀତିକାନ୍ତି ପରେ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି । ତିନି ଦିଅଁ ରଥେ ବିଜେ କରିବା ପରେ ମଧ୍ୟାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ରଥ ଉପରେ ଛେରା ପହଁରା କରିଥିଲେ । ଏସ୍‌ପି ମିତ୍ରଭାନୁ ମହାପାତ୍ର ଫୁଲ ଚନ୍ଦନ ସିଞ୍ଚନ କରିଥିଲେ ।

ଅପରାହ୍‌ଣରେ ସମବେତ ଶ୍ରଦ୍ଧାଳୁ ତିନି ରଥକୁ ବଡ଼ଦାଣ୍ଡରେ ଗୋଟିକ ପରେ ଗୋଟିଏ ଟାଣି ନେଇଥିଲେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ଭଜନ କୀର୍ତ୍ତନ ସାଙ୍ଗକୁ ମହାପ୍ରଭୁଙ୍କୁ ଆକୁଳ ନିବେଦନ ଘୋଷ ଯାତ୍ରାକୁ ଆହୁରି ପବିତ୍ର ଓ ଆନନ୍ଦଦାୟକ କରିଥିଲା । ତାଳଧ୍ବଜ ଏବଂ ନନ୍ଦିଘୋଷ ରଥକୁ ପୁରୁଷ ଓ ଯୁବକମାନେ ଟାଣିଥିବା ବେଳେ ମହିଳା ଶ୍ରଦ୍ଧାଳୁ ଦର୍ପଦଳନ ରଥ ଦଉଡି ଧରି ମା’ ସୁଭଦ୍ରାଙ୍କୁ ଗୁଣ୍ଡିଚା ମନ୍ଦିରେ ପହଞ୍ଚାଇଥିଲେ ।