ରାସ୍ତାରେ ପୋଖରୀର ଭ୍ରମ : ଅନୁଗୁଳ ନାଲକୋ ନିକଟସ୍ଥ ଜାତୀୟ ରାଜପଥରେ ଜମିଛି ବର୍ଷା ପାଣି,ଖାଲରେ ପଡି ଆହତ ଯାତ୍ରୀ

38

କନକ ବ୍ୟୁରୋ : ରାସ୍ତାରେ ଆଣ୍ଠୁଏ ପାଣି । ତାହାରି ଭିତରେ ପଶି ଯିବା ଆସିବା କରୁଛି ବଡ଼ ବଡ଼ ଗାଡି । ବେଳେ ବେଳେ ପାଣି ଭିତରେ ଥିବା ଗାତରେ ଗାଡି ଗଳିପଡୁଛି । ଯାହାକୁ ଠେଲିବାକୁ ପଡୁଛି । ଏମିତି ଅବସ୍ଥା ହେଉଛି ୫୫ ନମ୍ବର ଜାତୀୟ ରାଜପଥର । ନାଲକୋ ସହରରେ ନିକଟସ୍ଥ ରାଜପଥର ଏପରି ଅବସ୍ଥା ସତରେ ଦୟନୀୟ ।

ଅନୁଗୁଳ ନାଲକୋ ୫୫ ନମ୍ବର ଜାତୀୟ ରାଜପଥ ଉପରେ ସୃଷ୍ଟି ହୋଇଛି ଜଳାଶୟ । ଅସରାଏ ବର୍ଷା ହେଲେ ବିଗିଡି ଯାଏ ଅନୁଗୁଳ ନାଲକୋ ସ୍ଥିତ ସିପିପି ନିକଟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା । ରାସ୍ତା ପାଲଟିଯାଏ ମରଣଯନ୍ତା । ରାଜପଥରେ ଅଢେଇ ଫୁଟର ଗାତ ସୃଷ୍ଟି ହୋଇଛି । ଯେଉଁଠି ବର୍ଷା ପାଣି ସବୁ ଜମା ହୋଇଛି । ଫଳରେ ସେହି ରାସ୍ତା ଦେଇ ଯା’ଆସ କରୁଥିବା ଭାରି ଗାଡିଗୁଡିକ ଖାଲରେ ଗଳିପଡୁଛି । ଏମିତି କି ଜଣେ ମହିଳା ସ୍କୁଟିରେ ଯାଉଥିବା ବେଳେ ପଡିଯାଇ ଆହତ ହୋଇଛନ୍ତି ।

ବର୍ଷା ଦିନେ ନାଲକୋର ପାଣି ୫୫ ନମ୍ବର ଜାତୀୟ ରାଜପଥରେ ଜମା ହେବାରୁ ଏଭଳି ସମସ୍ୟା ଭୋଗନ୍ତି ସାଧାରଣ ଜନତା । ହେଲେ ଏନେଇ ନାଲକୋ କର୍ତୃପକ୍ଷ କି ଏନଏଚ କର୍ତୃପକ୍ଷ ଦୃଷ୍ଟି ହେଉନଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ନାଲକୋ ଓ ଏନ୍ଏଚ୍ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି, ଖୁବଶୀଘ୍ର ଏହାର ପ୍ରତିକାର କରାଯିବ ବୋଲି କହିଛନ୍ତି ଅନୁଗୁଳ ଜିଲ୍ଲାପାଳ । ଶିଳ୍ପନଗିରୀରେ ଜାତୀୟ ରାଜପଥର ଅବସ୍ଥା ଯଦି ଏମିତି ଗ୍ରାମାଂଚଳ କଥା ନକହିବା ଭଲ ।