ଅନୁଗୁଳ : ଏମସିଏଲର ଦାଦାଗିରି, ଜମି ନେଇ ମଧ୍ୟ ଆଜିଯାଏଁ ଲୋକଙ୍କୁ ଘର କି ନିଯୁକ୍ତି ଦେଇନି କମ୍ପାନୀ

20

କନକ ବ୍ୟୁରୋ : ଏମସିଏଲର ଦାଦାଗିରି । ଲୋକଙ୍କ ଜମି ନେଇ ମଧ୍ୟ କାହାକୁ ଆଜି ଯାଏ ନା ମିଳିଛି ଘର ନା ନିଯୁକ୍ତି । ଫଳରେ ପ୍ରତ୍ୟେକ ଦିନ ବଂଚିବା ପାଇ ସଂଘର୍ଷ କରୁଛନ୍ତି ବାସହରା । ଏହା ସହ ଘର ପାଖରେ ପଥର ବ୍ଲାଷ୍ଟିଂ ଯୋଗୁଁ ଭୟଭୀତ ଭାବେ ଜୀବନ କାଟୁଛନ୍ତି ସ୍ଥାନୀୟ ବାସିନ୍ଦା ।

ତାଳଚେର ବ୍ଲକ ରାକଶ ପଦ୍ମାବତିପୁର ଗାଁ । ଘର ଠାରୁ ମାତ୍ର ୨୦ ମିଟର ଦୂରରେ ଚାଲିଛି ପଥର ଖନନ ଓ ପଥର ବ୍ଲାଷ୍ଟିଂ । ଘରର କାନ୍ଥ ଫାଟି ଆଁ କରିଛି । ଏମସିଏଲର ମନମୁଖୀ ବ୍ଲାଷ୍ଟିଂ ଓ ଖନନ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଲୋକ ଏବେ ଭୟଭୀତ ଅବସ୍ଥାରେ ଜୀବନ କାଟୁଛନ୍ତି । ନା ବିସ୍ଥାପିତଙ୍କୁ ମିଳିଛି ଘର । ନା ନିଯୁକ୍ତି । ଫଳରେ ଘର ଖଣ୍ଡିଏ ପାଇଁ ବାର ଦୁଆର ହେଉଛନ୍ତି ବିସ୍ଥାପିତ ପରିବାର ।

ଲୋକଙ୍କର ସମସ୍ତ ଜମିକୁ ଏମସିଏଲ ଅଧିଗ୍ରହଣ କରିଥିବା ବେଳେ କିଛି ଲୋକଙ୍କୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି  ଦେଇ ନଥିବା ଅଭିଯୋଗ ଆଣିଛନ୍ତି ଅଂଚଳବାସି । ନିଯୁକ୍ତି ଦେଇ ନଥିବାରୁ ସେହି ଜାଗାକୁ ଛାଡୁ ନାହାଁନ୍ତି ଅଂଚଳ ବାସି । ଫଳରେ ଚାକିରି ନପାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିସ୍ଥାପିତ । ସେପଟେ ଯଦି ବ୍ଲାଷ୍ଟିଙ୍ଗ ହେଉଥିବ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ । କୋଇଲା ଖଣି ଖନନ ଓ ବ୍ଲାଷ୍ଟିଙ୍ଗ ବନ୍ଦ କରିବା ସହ ବାସହରାଙ୍କୁ ଘର ଯୋଗାଇଦେବାକୁ ଦାବି ହୋଇଛି ।