ଅନୁଗୁଳ ରିଡ଼ା ଗାଁରେ ଅଭାବନୀୟ ଘଟଣା ! ସ୍ୱାମୀଙ୍କ ପାଇଁ ଜୀବନ ଦେଲା ସ୍ତ୍ରୀ

40

କନକ ବ୍ୟୁରୋ : ସ୍ୱାମୀଙ୍କ ପାଇଁ ଜୀବନ ଦେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କନ୍ଥପଡ଼ା ପଂଚାୟତର ରିଡ଼ା ଗାଁରେ । ଗୁଳିକାଣ୍ଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀକୁ କଟକ ସ୍ଥାନାନ୍ତରିତ କରାଯାଇଛି । ସାମାନ୍ୟ ବଚସାକୁ ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ ସହ ଅନାମ ପ୍ରଧାନଙ୍କ ବଚସା ହୋଇଥିଲା । ବ୍ୟକ୍ତି ଜଣଙ୍କ ବଚସାରୁ ଉତକ୍ଷିପ୍ତ ହୋଇ ଅନାମଙ୍କୁ ଗୁଳି କରିଥିଲେ । ସ୍ୱାମୀକୁ ବଂଚାଇବାକୁ ଯାଇ ଗୁଳିର ଶିକାର ହୋଇଥିଲେ ଅନାମଙ୍କ ପତ୍ନୀ । ଅନ୍ୟପଟେ ସ୍ୱାମୀ ମଧ୍ୟ ଗୁରୁତର ଅଛନ୍ତି । ଘଟଣା ସ୍ଥଳରେ ଠାକୁରଗଡ଼ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି ।

ସେହିପରି ଜଗତସିଂହପୁରରେ ମଧ୍ୟ ଘଟିଛି ଅଭାବନୀୟ ଘଟଣା । ଜଳିଗଲା ଘର ଚାଲିଗଲା ପୁଅ ଜୀବନ । ଜଗତସିଂହପୁର ବାଲିକୁଦ ଥାନା ଉଗାରପୁରଠାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପୁଅର ମୃତ୍ୟୁ ହୋଇଛି । ମାକୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡରେ ତିନି ବଖରା ଘର ସଂପୂର୍ଣ୍ଣ ଜଳି ଯାଇଛି । ଘଟଣା ସ୍ଥଳରେ ଦମକଳ ବାହୀନି ପହଂଚି ନିଆଁ ଆୟତ କରିଥିଲେ ।