ଅନୁଗୁଳ ଛେଣ୍ଡିପଦା ଡାକ୍ତରଖାନାରେ ଗୁଣିିଆର ଝଡାଫୁଙ୍କା : ସାପ କାମୁଡ଼ିବାରୁ ଛେଣ୍ଡିପଦା ଥାନାର ମହିଳା କନେଷ୍ଟବଳଙ୍କୁ ଝଡାଫୁଙ୍କା

25

କନକ ବ୍ୟୁରୋ : ଡାକ୍ତରଖାନାରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କା । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାରେ । ଛେଣ୍ଡିପଦା ଥାନାର ମହିଳା କନେଷ୍ଟବଲ ମଂଜୁଲତା ସାହୁଙ୍କୁ ସାପ କାମୁଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଛେଣ୍ଡିପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଥିବା ବେଳେ ଝଡାଫୁଙ୍କା ମଧ୍ୟ ଚାଲିଛି । ଆଉ ଏ କାମ କରାଇଛନ୍ତି ଛେଣ୍ଡିପଦାର ଥାନା ବାବୁମାନେ । ପୁଲିସ ବାବୁ ଅନ୍ଧବିଶ୍ୱାସର ଶିକାର ହୋଇ ଜାମ୍ବୁନାଳି ଗାଁର ଚନ୍ଦ୍ର ନାୟକଙ୍କୁ ଡାକି ଡାକ୍ତରଖାନା ପରିସରରେ ଝଡାଫୁଙ୍କା କରାଇଥିଲେ । ଏହାପରେ ମହିଳାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ପିସିଆର ଭ୍ୟାନ ଯୋଗେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଜଳେଶ୍ୱର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତର ମହିଷାମୁଣ୍ଡା ଗ୍ରାମର ସିଦ୍ଧେଶ୍ୱର ଜେନା(୪୭) ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ବିଲରେ ପାଣି ଅଛି କି ନାହିଁ ଦେଖିବାକୁ ଯାଇଥିଲେ । ଜମି ଦେଖି ଫେରୁଥିବା ବେଳେ ହିଡ଼ରେ ତାଙ୍କୁ କୌଣସି ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କେଇ ମିନିଟ୍ ମଧ୍ୟରେ ପରିବାର ଲୋକେ ଓ ସମ୍ପର୍କୀୟ ସିଦ୍ଧେଶ୍ୱରକୁ ବଞ୍ଚାଇବା ପାଇଁ ଗୁଣିଗାରେଡ଼ିର ସହାୟତା ନେଇଥିଲେ।