ଫିଲ୍ମ ଷ୍ଟାଇଲରେ ଅନୁଗୁଳରେ ଆନ୍ଧ୍ରବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ ! ମାଉଜର ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କଲେ

23

କନକ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଲୁଟ୍ । ଅନୁଗୁଳ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ପ୍ରାୟ କୋଟିଏ ଟଙ୍କା ଲୁଟି ନେଇ ଫେରାର ମାରିଛନ୍ତି ଦୁର୍ବୃତ୍ତ । ୨ଟି ବାଇକରେ ଆସିଥିଲେ ୫ ଜଣ । ପ୍ରଥମ ବାଇକରେ ୨ ଜଣ ଥିବା ବେଳେ,ଦ୍ୱିତୀୟ ବାଇକରେ ଥିଲେ ତିନି ଜଣ । ଆଉ ପ୍ରଥମ ଯାଉଥିବା ଦୁଇ ବ୍ୟକ୍ତିଙ୍କ ମଝିରେ ରହିଛି ଟଙ୍କା ଓ ସୁନା ଭର୍ତ୍ତି କଳା ବ୍ୟାଗ । କୋଟି କୋଟି ଟଙ୍କା ବ୍ୟାଙ୍କରୁ ଲୁଟି ବିରାଟ ବ୍ୟାଗରେ ଭର୍ତ୍ତି କରିବା ସହ ବାଇକରେ ଚଂପଟ ମାରୁଛନ୍ତି ଲୁଟେରା । ପରିଚୟ ଲୁଚାଇବା ପାଇଁ ମୁହଁକୁ ରୁମାଲରେ ସଂପୂର୍ଣ୍ଣ ଢାଙ୍କି ରଖିଛନ୍ତି ଲୁଟେରା । ଖରାଦିନ ହୋଇଥିବାରୁ କାହାରି ସନ୍ଦେହ କରିବାର ସୁଯୋଗ ବି ନାହିଁ । ଏମିତି ସ୍ପଷ୍ଟ ଦିବାଲୋକରେ କୋଟି କୋଟି ଟଙ୍କା ଲୁଟ୍ କରି ସମସ୍ତଙ୍କ ଆଖି ଆଗରେ ଚଂପଟ ମାରୁଛନ୍ତି ଦୁର୍ଦ୍ଦାନ୍ତ ଲୁଟେରା । ଏମାନଙ୍କୁ ଧରିବା ଓ ଲୁଟ ଟଙ୍କା ଉଦ୍ଧାର କରିବା ଏବେ ପୋଲିସ ପାଇଁ ବଡ ଚାଲେଂଜ ।

ସୂଚନାଯୋଗ୍ୟ ଅନୁଗୁଳ ଆନ୍ଧ୍ରବ୍ୟାଙ୍କ ଖୋଲିବାର ଅଳ୍ପ ସମୟ ଭିତରେ ପହଂଚିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ । ୫ ଜଣ ଲୁଟେରା ବ୍ୟାଙ୍କକୁ ପ୍ରବେଶ କରିବା ପରେ ମାଉଜର ଦେଖାଇ କର୍ମଚାରୀ ଓ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ । ଦୁର୍ବୃତ୍ତଙ୍କ ହାତରେ ମାଉଜର ଦେଖି ସମସ୍ତେ ଭୟଭୀତ ହୋଇପଡିଥିଲେ  । ଏକ ସୁଚିନ୍ତିତ ଯୋଜନା ମୁତାବକ ମୁହଁରେ ମୁଖାପିନ୍ଧି ବ୍ୟାଙ୍କରେ କଳାକନା ବୁଲାଇବାକୁ ବାଇକରେ ଆସିଥିଲେ ପାଂଚ-ପାଂଚ ଜଣ । କିଛି ସମୟ ପାଇଁ ବ୍ୟାଙ୍କ ଭିତରେ ଖେଳି ଯାଇଥିଲା ଅସମ୍ଭବ ନୀରବତା । କାରଣ ପ୍ରତିବାଦ କଲେ ଗୁଳି ଫୁଟିବାର ଥିଲା ଭୟ । ଆଉ ଜୀବନ ଭୟରେ ଦୁର୍ବୃତ୍ତଙ୍କ ପ୍ରତିଟି କଥାକୁ ମାନିଥିଲେ ବ୍ୟାଙ୍କ କର୍ମଚାରୀ । ଏହି ସମୟ ଭିତରେ କାହାରିକୁ ବାହାରକୁ ଛଡାଯାଇନଥିଲା ।

ଏହାପରେ୍ ଆରମ୍ଭ ହୋଇଥିଲା ଲୁଟର ଦ୍ୱିତୀୟ ପର୍ଯ୍ୟାୟ । ଗ୍ରାହକମାନଙ୍କୁ ବ୍ୟାଙ୍କ ଭିତରେ ଥିବା ଏକ ବିଶ୍ରାମ ଗୃହରେ ତାଲା ପକାଇ କର୍ମଚାରୀମାନଙ୍କୁ ଲକର ଖୋଲିବାକୁ କହିଥିଲେ ଦୁର୍ବୃତ୍ତ । ସେଠାରୁ ନଗଦ ଟଙ୍କା ଓ ସୁନା ଗହଣା ଲୁଟ କରିଥିଲେ । ମିଳିଥିବା ସୂଚନା ଅନୁସାରେ ଏମାନେ ୨ଟି ବାଇକରେ ଆସିଥିବା ବେଳେ ସାଦା ପୋଷାକରେ ଗ୍ରାହକମାନଙ୍କ ପରି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ଅନୁଗୁଳ ବଜାର ଛକରେ ଥିବା ଆନ୍ଧ୍ର ବ୍ୟାଙ୍କରେ ଦୁର୍ବୃତ୍ତ କଳାକନା ବୁଲାଇବା ପରେ ପହଂଚିଛି ପୋଲିସ । ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ପଚରାଉଚରା କରିବା ସହ ପୋଲିସ ପାରିପାର୍ଶ୍ୱିକ ସ୍ଥିତିର ଯାଂଚ କରୁଛି । ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଲୁଟେରାଙ୍କୁ ଧରିବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।