ଗ୍ରାମଦେବତୀଙ୍କ ଆଦେଶ, ଗାଁରେ ପଡିବନି ଛାତ : ଚାଳ ଓ ଟାଲି ଆଜବେଷ୍ଟ ଘରେ ରହୁଛନ୍ତି ଗ୍ରାମବାସୀ

58

କନକ ବ୍ୟୁରୋ : ଘର ଅଛି ଛାତ ନାହିଁ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା । ଲାଗିବା ସ୍ୱାଭାବିକ । ଗ୍ରାମ ଆରମ୍ଭରୁ ଆଜି ଯାଏଁ ଗାଁରେ ଗୋଟିଏ ବି ଛାତ ଘର ନାହିଁ । ଧନୀ ଗରିବ ସମସ୍ତଙ୍କ ମୁଣ୍ଡ ଉପରେ ରହିଛି ଚାଳ, ଟାଲି ଆଉ ଆଜବେଷ୍ଟସ୍ ଛପର । କାରଣ ଛାତ ଘର କରିବା ପାଇଁ ବାରଣ କରିଛନ୍ତି ଗ୍ରାମଦେବତୀ । ଏମିତି ଏକ ବିଶ୍ୱାସକୁ ନେଇ ଚାଲିଛି ଆଠମଲ୍ଲିକ ବେଲାଦୁଲା ଗାଁ ।

ଅନୁଗୁଳ ଓ ବୌଦ୍ଧ ଜିଲ୍ଲୀ ସୀମାରେ ରହିଛି ଆଠମଲ୍ଲିକର ବେଲାଦୁଲା ଗାଁ । ୨ଶହ ପରିବାର ବସବାସ କରୁଥିବା ଏହି ଗାଁରେ ଗୋଟିଏ ହେଲେ ଛାତ ଘର ନାହିଁ । ବେଲାଦୁଲା ଗ୍ରାମବାସୀ କୁହନ୍ତି, ଛାତ ଘର ପାଇଁ ମନା କରିଛନ୍ତି ଗ୍ରାମ ଦେବତୀ । ଠାକୁରାଣୀଙ୍କ ଆଦେଶ ଗ୍ରାମର କୌଣସି ସ୍ଥାନରେ ଛାତ ପଡିବ ନାହିଁ । ତେଣୁ ଗାଁରେ ଇଟା ମାଟିର କାନ୍ଥ ଥିଲେ ଥିଲେ ସୁଦ୍ଧା ମୁଣ୍ଡ ଉପରେ ଛାତ ନାହିଁ । ଗ୍ରାମଦେବତୀଙ୍କୁ ଆଦେଶକୁ ନମାନିଲେ ପରିବାରର ଅମଙ୍ଗଳ ହେବ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ପୂର୍ବପୁରୁଷ ଅମଳରୁ ଚାଲିଆସିଥିବା ଏହି ବିଶ୍ୱାସକୁ  ଭାଙ୍ଗି ପାରୁନାହାନ୍ତି ।

କେବଳ ଗ୍ରାମବାସୀଙ୍କ ଘର ନୁହେଁ ସ୍କୁଲ ଘର, ସରକାରୀ ଘର ସବୁଠି ସମାନ ସ୍ଥିତି । ଗ୍ରାମବାସୀ କୋଠା ଘର କରିବେ ନାହିଁ ବୋଲି, ସରକାରଙ୍କ ପ୍ରୋତ୍ସାହନ ଇନ୍ଦିରା ଆବାସ, ବିଜୁ ପକ୍କାଘର ଓ ପାଇଖାନାକୁ ପ୍ରତ୍ୟାଖାନ କରିଛନ୍ତି । ଛାତ ଘର ନକରି ବି ଠାକୁରାଣୀଙ୍କ ଦୟାରୁ ସମସ୍ତ ଖୁସିରେ ଥିବା କୁହନ୍ତି ଗ୍ରାମବାସୀ ।