ମହାରାଷ୍ଟ୍ରରେ ଛାଡ ହେଲା କୃଷି ଋଣ ! ଆନ୍ଦୋଳନରୁ ଓହରିଲେ ଚାଷୀ ସଂଗଠନ

33

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଛାଡ଼ ହେବ କୃଷକଙ୍କ ଋଣ । ଏହା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । କୃଷି ଋଣ ଛାଡ଼ ଦାବିରେ ରାଜ୍ୟବ୍ୟାପି ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଆଜି ବଡ଼ ଧରଣର ଚାଷୀ ବିକ୍ଷୋଭ ଯୋଜନା କରିଥିଲେ କୃଷକ ସଂଗଠନ । ତେବେ ସରକାରଙ୍କ ଏହି ଘୋଷଣା ପରେ ଚାଷୀ ସଂଗଠନଗୁଡିକ ଆନ୍ଦୋଳନରୁ ଓହରି ଯାଇଛନ୍ତି । ଏବଂ ସରକାରଙ୍କ ପଦକ୍ଷେପକୁ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଅଧକ୍ଷତାରେ ୩ଘଂଟା ଧରି ଋଣ ଛାଡ ସଂକ୍ରାନ୍ତ ନିଷ୍ପତି ନେବା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ କୃଷି ଋଣ ଛାଡ଼ କରିବାକୁ ସରକାର ଘୋଷଣା କରିଛନ୍ତି । ଏହା ସହ କୃଷକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ଏଥିପାଇଁ ସରକାର ଏବଂ ଚାଷୀ ପ୍ରତିନିଧିମାନଙ୍କୁ ନେଇ ଏକ କମିଟି ଗଠନ ହେବ ।

ଏହି କମିଟି କୃଷକଙ୍କ ସ୍ୱାର୍ଥ ରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଦିଗରେ କାର୍ଯ୍ୟ କରିବ । ସରକାରଙ୍କ ଏହି ନିଷ୍ପତି ଚାଷୀ ସଂଗଠନ ଗୁଡିକୁ ଆଶ୍ୱସ୍ତ କରିଛି । ତେବେ ଆଜିଠାରୁ ଆରମ୍ଭ ହେବାକୁ ଥିବା ରାଜ୍ୟବ୍ୟାପି ବିକ୍ଷୋଭ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଛି । ଏନେଇ ବିଭିନ୍ନ କୃଷକ ସଂଗଠନମାନେ ଘୋଷଣା କରିଛନ୍ତି ।