ଦିଦି  ହେବ ତ ଏମିତି । ବାତ୍ୟା ଭାଙ୍ଗି ଦେବାପରେ  ନିଜ ଖର୍ଚ୍ଚରେ ପିଲାଙ୍କ ପାଇଁ ତିଆରି କଲେ ଅଙ୍ଗନୱାଡି ଘର, ଚାରିଆଡୁ ଛୁଟିଲା ପ୍ରଂଶସାର ଛୁଅ

1,173

କନକ ବ୍ୟୁରୋ : ଦିଦି ହେବ ତ ଏମିତି । ଯେମିତି ଦିଦି ହୋଇଛନ୍ତି ପିପିଲିର ପ୍ରତିମା ମହାରଣା । ଏବେ ପ୍ରତିମା କିଛି ଏପରି କାମ କରିଛନ୍ତି ଯାହାକୁ ନେଇ ପୁରା ଅଂଚଳରେ ଏବେ ତାଙ୍କୁ ନେଇ ଚର୍ଚା । ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ବଲପୁର ପଣ୍ଡା ସାହିରେ ସେ ନିଜ ଉଦ୍ୟମରେ ତିଆରି କରିଛନ୍ତି ଆଦର୍ଶ ଅଙ୍ଗନୱାଡିି କେନ୍ଦ୍ର । ଫୋନି ଝଡରେ ପୁରା ଭାଂଗି ଯାଇଥିଲା ଗାଁର ଅଙ୍ଗନୱାଡିି କେନ୍ଦ୍ରର ଘର । ଗାଁର କୁନି କୁନି ପିଲାମାନେ ପାଠ ପଢିବା ଓ ଖେଳିବା ପାଇଁ ସମସ୍ୟାର ଶିକାର ହୋଇଥିଲେ । ଏସବୁ ଦେଖିବା ପରେ ପ୍ରତିମା ଆଉ ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଦରମା ଟଙ୍କାରେ ଆରମ୍ଭ କରିଥିଲେ ଘର କାମ । ଝାଟିମାଟିରେ ତିଆରି କରିଥିଲେ ଏକ ଛୋଟିଆ ଘର । ଉପରେ ପକାଇ ଦେଇଥିଲେ ତମ୍ବୁ । ବାସ୍ ପିଲାଙ୍କ ମୁଣ୍ଡକୁ ଏଥିରେ ଛାତ ମିଳି ଯାଇଥିଲା ।

କେବଳ ସେତିକି ନୁହଁ ଅଙ୍ଗନୱାଡିି ପରିବେଶକୁ ସୁନ୍ଦର କରିବାକୁ ଘର ଆଗରେ ତିଆରି କଲେ ଏକ ଫୁଲ ବଗିଚା । ପିଲାମାନେ ଖେଳିବା ପାଇଁ କିଛି ଖେଳନା ମଧ୍ୟ କିଣି ଦେଲେ । କେନ୍ଦ୍ରରେ ପିଲାମାନେ କିପରି ଭଲ ଭାବେ ପଢିବେ , ଖୁସିରେ ଖେଳିବେ ସେ ନେଇ ସବୁ ବ୍ୟବସ୍ଥା କରିଦେଇଛନ୍ତି । ପ୍ରତିମା ଦିଦିଙ୍କ ଏପରି କାମ ଦେଖିବା ପରେ ସାରା ଅଂଚଳରେ ତାଙ୍କର ଚର୍ଚା । ରାଜ୍ୟ  ଶିଶୁ ବିକାଶ ମନ୍ତ୍ରୀ ଏକଥା ଜାଣିବା ପରେ ଏହି ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନରେ ଆସି ପ୍ରତିମାଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି । ପ୍ରତିମାଙ୍କ ଏପରି ଉଦ୍ୟମ ପ୍ରଶଂସା କରିବା ସହ ଖୁବଶୀଘ୍ର ସେଠାରେ ନୂଆ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ରଖି ଯାଇଛନ୍ତି ।