ଓଡ଼ିଶାର କୋଟିଆ ଗାଁରେ ମାମଲତି କରୁଛି ଆନ୍ଧ୍ର : ତିଆରି କରୁଛି ଅଙ୍ଗନୱାଡି କେନ୍ଦ୍ର

55

କନକ ବ୍ୟୁରୋ : କୋଟିଆ ପଂଚାୟତର ତଳ ସେମ୍ବୀ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର । ଓଡ଼ିଶା ମାଟିରେ ଅଙ୍ଗନବାଡ଼ି କେନ୍ଦ୍ର କରିଛି ଆନ୍ଧ୍ର । ଫଳକ ମଧ୍ୟ ଲେଖାଯାଇଛି ତେଲୁଗୁ ଭାଷାରେ । ପିଲାଙ୍କ ଖାଇବା, ପଢିବା ଦାୟିତ୍ୱ ବୁଝୁଛନ୍ତି ଆନ୍ଧ୍ର ସରକାର । ଅଧା ନିର୍ମାଣ ହୋଇଥିବା ସ୍କୁଲ ଘର ମଧ୍ୟ ତିଆରି କରିଛି ଆନ୍ଧ୍ର ।

ହାତରୁ ଖସିଯାଉଛି କୋଟିଆ । ବିକାଶ ନାଁରେ ୨୧ଟି ଗାଁକୁ କବଜା କରିବା ପାଇଁ ଆନ୍ଧ୍ର ଚଳାଇଛି ଚକ୍ରାନ୍ତ । ଗାଁକୁ ଗାଁ ବୁଲି  ଆନ୍ଧ୍ରର ପ୍ରଶାସନିକ ଅଧିକାରୀ  କମ୍ବଳ,  ସୋଲାର ଲାଇଟ ଓ ବରିଷ୍ଠ ନାଗରିକଙ୍କୁ  ୧୦୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିଛନ୍ତି ।  ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାଇ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହାକୁ ବେଖାତିର କରିଛି ଆନ୍ଧ୍ର ପ୍ରଶାସନ । ଓଡ଼ିଶା ସରକାରଙ୍କ ଉଦାସୀନତାର ଫାଇଦା ଉଠାଇବାକୁ ଷଡଯନ୍ତ୍ରର ଜାଲ ବିଛାଇଛି ଆନ୍ଧ୍ର । ଗାଁଗୁଡିକରେ ରାସ୍ତା ଘାଟ ଓ ବିଭିନ୍ନ ମୌଳିକ ସୁବିଧା ଯୋଗାଇ ଦେଉଛି ପଡୋଶୀ ରାଜ୍ୟ ।  କେତେକ ସ୍ଥାନରେ ଆନ୍ଧ୍ର ସରକାର ବିଦ୍ୟୁତ ସଂଯୋଗ କରି ଶୁଳ୍କ ମଧ୍ୟ ଆଦାୟ କରୁଛି । କୋଟିଆ ପଂଚାୟତର ଲୋକଙ୍କ ପାଖରେ ରହିଛି ଉଭୟ ରାଜ୍ୟର ଭୋଟର କାର୍ଡ଼ ।

ସ୍ଥିତି ପରଖିବାକୁ କନକ ନ୍ୟୁଜ ପହଁଚିଥିଲା ଗ୍ରାଉଣ୍ଡ ଜିରୋରେ । ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା ଓଡ଼ିଶା ସରକାରଙ୍କ ଉଦାସୀତନା । ଯୋଜନା ହେଉଛି, ମାତ୍ର ପହଁଚି ପାରୁନାହିଁ ଲୋକଙ୍କ ପାଖରେ । ଫଳରେ ଓଡ଼ିଶା ପ୍ରତି ବିମୁଖ ହେଉଛନ୍ତି ସୀମାନ୍ତ ଗ୍ରାମବାସୀ । ଜାଣି ଆଶ୍ଚର୍ଯ୍ୟ ହେବେ. ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଜନ୍ମଦିନ ପାଳନ ପାଇଁ ସେଠାରେ ବ୍ୟାପକ ଆୟୋଜନ ଚାଲିଛି, ହେଲେ ଖବର ନାହିଁ ଓଡ଼ିଶା ସରକାରଙ୍କ ନିକଟରେ ।

ସେପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଏ ନେଇ ଖୁବଶୀଘ୍ର ପଦକ୍ଷେପ ନେବେ ସରକାର । ଓଡ଼ିଶା ମାଟିରେ ଆନ୍ଧ୍ରର ଅଙ୍ଗନବାଡି କେନ୍ଦ୍ର, ବିଦ୍ୟୁତ ଯୋଗାଣ, ଭତା ପ୍ରଦାନ ଏକ ଅଜବ ପରିସ୍ଥିତି ସୃଷ୍ଟି କରିଛି ।