ଅଙ୍ଗନୱାଡି ଦିଦିଙ୍କୁ ଚେତାବନୀ ଦେଲେ ରାଜ୍ୟ ସରକାର : ୨୦ ସୁଦ୍ଧା ଆନ୍ଦୋଳନ ସ୍ଥଳ ଛାଡି ୨୩ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

70

କନକ ବ୍ୟୁରୋ : ରାଜରାସ୍ତାରେ ଧାରଣାରେ ବସିଥିବା ଅଙ୍ଗନୱାଡି ଦିଦିଙ୍କୁ ମହଲତ ଦେଲେ ସରକାର । ସଫା ସଫା କହିଛନ୍ତି, ଧାରଣାରୁ ନହଟିଲେ ଯିବ ଚାକିରି । ବିକଳ୍ପ ବ୍ୟବସ୍ଥା କରିବେ ସରକାର । ଦରମା ବୃଦ୍ଧି ପରେ ବି ଆନ୍ଦୋଳନ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ପ୍ରତି କଠୋର ହୋଇଛନ୍ତି ବିଭାଗୀୟ ମନ୍ତ୍ରୀ । କାଲି ସୁଦ୍ଧା ଧାରଣାରୁ ଓହରି ୩ ଦିନ ଭିତରେ ନିଜ ନିଜ ଅଂଚଳରେ କାମରେ ଯୋଗ ଦେବାକୁ କହିଛନ୍ତି । ଆଉ ନିର୍ଦେଶ ନମାନିଲେ ଚାକିରି ଯିବାର ଚରମବାଣୀ ଶୁଣାଇଛନ୍ତି ।

ଏପଟେ ନିଜ ଦାବିରେ ଅଡି ବସିଛନ୍ତି ଅଙ୍ଗନୱାଡି କର୍ମୀ । ବର୍ଷାଭିଜା ରାସ୍ତାରେ ଜାରି ରହିଛି ଧାରଣା । ଅଙ୍ଗନୱାଡି ଦିଦିଙ୍କ ଗୋଟିଏ ଗୋଷ୍ଠୀ ଆନ୍ଦୋଳନରୁ ଓହରିଯାଇଥିବା ବେଳେ ଆଉ ଏକ ଗୋଷ୍ଠୀ ଏବେ ବି ରାଜରାସ୍ତାରେ ବସିରହିଛନ୍ତି । ଦାବି ପୂରଣ ନହେଲା ଯାଏଁ ଧାରଣାରୁ ହଟିବାର ପ୍ରଶ୍ନ ଉଠୁନି ବୋଲି ସରକାରଙ୍କୁ ପାଲଟା ଜବାବ ଦେଇଛନ୍ତି । ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ରାଜଧାନୀକୁ ଆନ୍ଦୋଳନ କରିବାକୁ ଆସିଥିଲେ ଅଙ୍ଗନୱାଡି କର୍ମୀ । ହେଲେ ଦିଦିଙ୍କ ଆନ୍ଦୋଳନରେ ପଶିଗଲା ରାଜନୀତି । ଦୁଇ ଫାଳ ହୋଇଗଲା ଅଙ୍ଗନୱାଡି ଦିଦିଙ୍କ ସଂଘ ।

୩୬ ଦିନର ଆନ୍ଦୋଳନ ପରେ ସରକାର ଆଲୋଚନା କଲେ, ଦରମା ବି ବଢାଇଲେ । ହେଲେ ଏବେବି ଗୋଟିଏ ଗୋଷ୍ଠୀ ବସିଛି ରାଜରାସ୍ତାରେ । ଏହାରି ଭିତରେ ଆଜି ଅଙ୍ଗନୱାଡି କର୍ମୀଙ୍କୁ ମହଲତ ଦେଇଛନ୍ତି ସରକାର ।