ଦିଦିଙ୍କୁ ନେଇ ରାଜନୀତି: ବିଜେଡିର ପ୍ରଶ୍ନ ବିଜେପିର ଉତ୍ତର

40

କନକ ବ୍ୟୁରୋ : ଦିଦିଙ୍କ ସମସ୍ୟାକୁ ନେଇ ରାଜ୍ୟ ଉଠୁଛି ପଡୁଛି । ଅଙ୍ଗନୱାଡି କର୍ମୀଙ୍କ ସମସ୍ୟାକୁ ନେଇ ବିଜେଡି କରିଛି ପ୍ରେସମିଟ । ମୁଖ୍ୟମନ୍ତ୍ରୀ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଶୁଣିଛନ୍ତି । ସମସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ଅଙ୍ଗନୱାଡି କର୍ମୀମାନେ ଆନ୍ଦୋଳନରେ ବସିଛନ୍ତି ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସାମ୍ବାଦିକ ସମ୍ମିଳନୀରେ ପ୍ରତାପ ଦେବ ଅନୁରୋଧ କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସର୍ବୋଚ୍ଚ ପ୍ରାପ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । ବିଜେପି ଶାସିତ ରାଜ୍ୟରେ କର୍ମୀଙ୍କୁ କେତେ ଦରମା ମିଳୁଛି ବୋଲି ବିଜେପିକୁ ପ୍ରଶ୍ନ କରି ଘାଏଲ କରିଛନ୍ତି ପ୍ରତାପ ଦେବ । ଅଙ୍ଗନୱାଡି କର୍ମୀଙ୍କୁ ବିଜେପି ବିଭ୍ରାନ୍ତିକର ତଥ୍ୟ ଦେଉଛି ବୋଲି ପ୍ରତାପ ଅଭିଯୋଗ କରିଛନ୍ତି । ନିର୍ବାଚନ ନେଇ ବିଜେପି ଧୂଆଁବାଣ କରୁଥିବା ବିଜେଡି ଅଭିଯୋଗ କରିଛି ।

ସେପଟେ ବିଜେପିର  ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁରେଶ ପୂଜାରୀ ବରଗଡରେ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତି । ୧୭ ବର୍ଷ ଧରି ସରକାର କଣ କରୁଥିଲେ ? ରାଜନୈତିକ ଉଦେଶ୍ୟ ରଖି ଦରମା ବଢାଯାଇଥିବା ବିଜେପି କହିଛି । ୩୬ ଦିନ ହେଲାଣିି ମାଆ-ଭଉଣୀମାନେ ହଇରାଣ ହେଉଛନ୍ତି । ଅଙ୍ଗନୱାଡି କର୍ମୀ ସଂଘ ଭାଙ୍ଗିବା ବିରଳ ଘଟଣା ବୋଲି କହିଛି ବିଜେପି ।

ସେପଟେ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଅଙ୍ଗନୱାଡି କର୍ମୀମାନେ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଆଉ ୨ ହଜାର ଟଙ୍କା ଦରମା ବଢାଇ ଥିବାରୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ଦୀର୍ଘ ୩୬ ଦିନ ଧରି ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଥିବା ଅଙ୍ଗନୱାଡି ଦିଦିଙ୍କ ଦରମା ବୃଦ୍ଧି ସଂପର୍କରେ ଗତକାଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଙ୍ଗନବାଡି ଦିଦିଙ୍କ ଦରମା ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମିନି ଆଙ୍ଗନବାଡି ଦିଦିଙ୍କ ଦରମା ୪ହଜାର ୧୨୫ ଟଙ୍କା ଓ ଆଙ୍ଗନବାଡି ସହାୟିକାଙ୍କ ଦରମା ୩ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏଥିସହ ଦିଦିଙ୍କୁ ସ୍ୱାସ୍ଥ୍ୟବୀମା ଓ ଜୀବନ ବୀମା ପାଇଁ ସରକାର ବ୍ୟବସ୍ଥା କରିବେ । ଏ ବାବଦ ପ୍ରିମିୟମ ସରକାର ଭରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ୨ ହଜାର ଟଙ୍କା ବୃଦ୍ଧିକୁ ନେଇ ଗୋଟିଏ ଗୋଷ୍ଠୀ ସନ୍ତୁଷ୍ଟ ଥିବାବେଳେ ଅନ୍ୟଏକ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି ।

କୁହାଯାଉଛି ସରକାରଙ୍କ ଘୋଷଣା ପରେ ବିଜେଡି ସମର୍ଥୀତ ବିଜୁ ଶ୍ରମିକ ସାମୁଖ୍ୟର ଆନ୍ଦୋଳନରୁ ଓହରି ଯାଇଛି । ହେଲେ ବିଜେପି ସମର୍ଥିତ ଭାରତୀୟ ମଜଦୁର ସଂଘ ଆନ୍ଦୋଳନରୁ ଓହରି ନାହିଁ । ଦରମା ୧୦ ହଜାର ଟଙ୍କା ନକରିବା ଯାଏଁ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଜଣାପଡିଛି ।