ଓଡିଶା ଉପରେ ଆନ୍ଧ୍ରର ନଜର ! ସୀମାବର୍ତ୍ତୀ ଗାଁକୁ ଅକ୍ତିଆର କରିବା ପାଇଁ କରୁଛି ଉଦ୍ୟମ,କୋଟିଆ ପରେ ଟାର୍ଗେଟରେ ଗଜପତିର ଗଙ୍ଗାବାଡ଼ ପଂଚାୟତ

38

କନକ ବ୍ୟୁରୋ : ଓଡିଶା ଉପରେ ପଡୋଶୀ ରାଜ୍ୟ ଆନ୍ଧ୍ରର ନଜର । ରାଜ୍ୟର ଅନେକ ସୀମାବର୍ତ୍ତୀ ଗାଁକୁ ଅକ୍ତିଆର କରିବା ପାଇଁ ମସୁଧା କରୁଛନ୍ତି ଆନ୍ଧ୍ର ସରକାର । କୋରାପୁଟ କୋଟିଆ ବିଷୟରେ ସମସ୍ତ ଅବଗତ ଥିବେ ଆଜି ଆମେ ଆଉ ଏକ ଜିଲ୍ଲାର ଘଟଣା ସାମ୍ନାକୁ ଆସିଛି । ଯେଉଁଠି ବୁଲୁଛି ଆନ୍ଧ୍ରର ବୁଲଡୋଜର ।

ଜଙ୍ଗଲ, ଝରଣା ଓ ପାହାଡ଼ିଆ ରାସ୍ତା ଦେଇ ଗଲାବେଳେ ଗାଁ ଓଡ଼ିଶାରେ ଥିବା ସତ୍ୱେ ଆନ୍ଧ୍ର ପ୍ରଭାବ ଧିରେ ଧିରେ ଅନୁଭୂତ ହେଉଛି । ସୀମାନ୍ତ ଗାଁ ଗୁଡ଼ିକର ବାସ୍ତବିକ୍ ସ୍ଥିତି ଜାଣିବା କନକ ନ୍ୟୁଜ୍ ଟିମ୍ ପହଞ୍ଚିଥିଲା ଗଜପତି ଜିଲ୍ଲାର ରାୟଗଡ଼ ପଂଚାୟତରେ । ଦେଖିବାକୁ ମିଳିଲା ବୁଲଡୋଜର ଚାଲିଛି ଏବଂ ଲାଗିଲା ଜରୁରୀକାଳୀନ ଭିତ୍ତିରେ ରାସ୍ତା ତିଆରି ଚାଲିଛି । ଜଙ୍ଗଲ ଜମି ସଫା ହେଉଛି ଏବଂ ରାସ୍ତା ନିର୍ମାଣ ହେଉଛି । ଯେକେହି ଭାବିବ ଏହି ସୀମାନ୍ତ ଗାଁରେ ଓଡ଼ିଶା ସରକାରଙ୍କ ଦୃଷ୍ଟି ପଡ଼ିଛି ଏବଂ ରାସ୍ତା ନିର୍ମାଣ ଆରମ୍ଭ ହୋଇଯାଇଛି । କିନ୍ତୁ ସତ ସେଇୟା ନୁହେଁ । ସେଠାରେ ଓଡ଼ିଶା ସରକାର ନୁହେଁ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର । ୧୦ରୁ ୧୫ଟି ଗାଁରେ ଏହି ରାସ୍ତା ନିର୍ମାଣ କାମ ଆଗେଇ ଚାଲିଛି ।

ରାସ୍ତା ନିର୍ମାଣ ବ୍ୟତୀତ ଓଡ଼ିଶାର ଏହି ଗାଁ ଗୁଡ଼ିକରେ ଆନ୍ଧ୍ର ନିଜ ଆସ୍ତାନ ଜମାଇସାରିଲାଣି । ଲୋକଙ୍କୁ ଯେଉଁ ମୌଳିକ ସୁବିଧା ଦରକାର ତାହା ଯୋଗାଇ ଦେଇ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ସବୁପ୍ରକାର ଉଦ୍ୟମ କରୁଛି ଠିକ କୋଟିଆ ଭଳି । ପଂଚାୟତର ଆଦିବାସୀ ଅଧ୍ୟୁଷିତ ଗାଁ ଗୁଡ଼ିକରେ ଆନ୍ଧ୍ର ପକ୍ଷରୁ ବିଦ୍ୟୁତ ଯୋଗାଣ ସହ ବିଭିନ୍ନ ଭତା ଓ ଆଧାର କାର୍ଡ ଦିଆଯାଉଛି ।

ଓଡ଼ିଶା ସୀମାରେ ଆନ୍ଧ୍ରର ଏହି ବେଆଇନ୍ ନିର୍ମାଣକୁ ନେଇ ଓଡ଼ିଶା ପ୍ରଶାସନ ପାଖରେ ଖବର ଅଛି ନା ନାହିଁ ତାହା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଉଥିବ । ଏ ବିଷୟରେ ଜାଣିବା ପାଇଁ ଗଜପତି ଉପଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଯାଇଥିଲା । ଏହି ପ୍ରଶ୍ନରେ ଉପଜିଲ୍ଲାପାଳ କହିଛନ୍ତି, ପୂର୍ବରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଖିଙ୍ଗା ଓ ଗୋବିନ୍ଦପୁର ନିକଟରେ ଆନ୍ଧ୍ରର ରାସ୍ତା ନିର୍ମାଣକୁ ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ । ଗଂଜାମର କୋଟିଆ ଗାଁକୁ ପୂର୍ବରୁ କବଜା କରିବାକୁ ଆନ୍ଧ୍ର ପକ୍ଷରୁ ଉଦ୍ୟମ ହୋଇଥିବା ବେଳେ ଏବେ ଗଜପତି ସୀମାବର୍ତ୍ତୀ ଗାଁ ଗୁଡ଼ିକୁ କରୁଛି ଟାର୍ଗେଟ୍ ।