କୋଟିଆ ବିବାଦରେ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ! ରାସ୍ତା କାମ ଆରମ୍ଭ କଲା ଆନ୍ଧ୍ର, ଭୋଟର ତାଲିକାରେ ଲୋକଙ୍କୁ କଲା ସାମିଲ

40

କନକ ବ୍ୟୁରୋ : ହାତରୁ ଖସି ଯାଉଛି କୋଟିଆ । ଓଡିଶା ସରକାରଙ୍କୁ ଚ୍ୟାଲେଞ୍ଜ କରୁଛି ଆନ୍ଧ୍ରପ୍ରଦେଶ । କୋଟିଆ ବାସିନ୍ଦାଙ୍କ ଠାରୁ ଓଡିଶାର ନାଗରିକତ୍ୱ ଛଡାଇ ନେବାକୁ ପୂରା ପ୍ରସ୍ତୁତି କରିଦେଇଛି ଆନ୍ଧ୍ରପ୍ରଦେଶ ସରକାର । ରାସ୍ତା କାମ ଆରମ୍ଭ କରିବା ସହ ଭୋଟର ତାଲିକା ବି ସଂଶୋଧନ କରିଛି । ମେସିନ୍ ଲଗାଇ ଗତକାଲି ଦିନ ତମାମ ରାସ୍ତା କାମ ହୋଇଛି । ଆଜି ମଧ୍ୟ କାମ ଜାରି ରହିବ । କୋଟିଆ ବାସିଙ୍କ ଭୋଟର ତାଲିକାକୁ ସଂଶୋଧନ କରି ଆନ୍ଧ୍ରପ୍ରଦେଶରେ ସାମିଲ କରାଯାଇଛି । ଖାଲି ସେତିକି ନୁହେଁ, କୋଟିଆ ଲୋକଙ୍କ ଆଧାର କାର୍ଡ ମଧ୍ୟ ସଂଶୋଧନ କରିବା ଆରମ୍ଭ କରିଛି ଆନ୍ଧ୍ରପ୍ରଦେଶ ।

ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି ବନ୍ଦ ହେଉନି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିଲାବେଳେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଆନ୍ଧ୍ର । ଯୁଦ୍ଧକାଳୀନ ଭିତ୍ତିରେ ଭୋଟର କାର୍ଡ ଓ ଆଧାର କାର୍ଡ ସଂଶୋଧନ ଚାଲିଥିଲା ବେଳେ ତାଡିବାଲସାରୁ ଆରଜୁ ବାଲସା ପର୍ୟ୍ୟନ୍ତ ମେଟାଲ ରାସ୍ତା ନିର୍ମାଣ କରୁଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଚାଲିଥିଲାବେଳେ ବିଭିନ୍ନ ସମୟରେ ଆନ୍ଧ୍ର ଅଧିକାରୀମାନେ ଓଡ଼ିଶାରେ ପଶି ସରକାରୀ ସହାୟତା ବାଣ୍ଟୁଛନ୍ତି । ଓଡ଼ିଶା ଲୋକଙ୍କୁ ପ୍ରଭାବିତ କରିବା ପାଇଁ ସେମାନେ ବିଭିନ୍ନ ସମୟରେ ଚେଷ୍ଟା ଚଳାଇଥିଲାବେଳେ ଏବେ ରାସ୍ତା ନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି ।

ଏପଟେ ଓଡ଼ିଶା ଅଧିକାରୀଙ୍କ ଦେଖା ନାହିଁ । ତେବେ ଏସବୁ ଜାଣି ମଧ୍ୟ କୋରାପୁଟ ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛି । ରାଜ୍ୟ ସରକାର ବି କୌଣସି ଆଖିଦୃଶିଆ ପଦକ୍ଷେପ ନେଉଥିବା ଜଣା ପଡୁନାହିଁ । ଜିଲ୍ଲାପାଳଙ୍କଠୁ ରିପୋର୍ଟ ମଗାଯାଇଛି, ସ୍ୱତନ୍ତ୍ର କମିଟି ଅନୁଧ୍ୟାନ କରିବ ବୋଲି କହୁଛନ୍ତି ରାଜସ୍ୱ ମନ୍ତ୍ରୀ । ଆସନ୍ତା ୭ତାରିଖରେ କୋଟିଆରେ ଆମ କୋଟିଆ ସଂଗଠନ ପକ୍ଷରୁ ସର୍ବ ଦଳୀୟ ବୈଠକ ଡକାଯାଇଥିଲା ବେଳେ ସେଠାରେ କୋଟିଆ ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ସରକାରଙ୍କୁ ଜଣାଇ ଦିଆଯିବ ସହ କୋଟିଆକୁ ଓଡ଼ିଶାରେ ରଖିବା ପାଇଁ ଯୋଜନା କରାଯିବ ବୋଲି ଜଣାପଡିଛି ।