ବିଷଧର ସାପଙ୍କୁ ନେଇ ଚିନ୍ତା । ସାପଙ୍କ ଦୌରାତ୍ମ୍ୟ ରୋକିବାକୁ ସରକାର କରିବେ ସର୍ପ ଯଜ୍ଞ, ଜାଣନ୍ତୁ କେଉଁଠି

66

ପୂରା ଦେଶରେ ଏବେ ତାଣ୍ଡବ ରଚୁଛି ବନ୍ୟା । ଘରଦ୍ୱାର ବୁଡିଯିବା ସହ ଜୀବନ ଦୁଃର୍ବିସହ ହୋଇପଡିଛି । ବନ୍ୟା ପରେ ରହିବା ଓ ଖାଇବା ପାଇଁ ଲୋକେ ଚିନ୍ତା କରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ନାଇଡୁ ସରକାରଙ୍କ ଚିନ୍ତା ବଢାଇଦେଇଛି ସାପ । ଆଉ ଏଥିପାଇଁ ବଡ ଧରଣର ସର୍ପ ଯଜ୍ଞ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।

ବିଷଧର ସାପଙ୍କ ପାଇଁ ଦୌରାତ୍ମରୁ ରକ୍ଷା ପାଇବା ପାଇଁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଛନ୍ତି ନାଇଡୁ ସରକାର । ତେବେ ବିଭିନ୍ନ ଡାକ୍ତରଖାନାରେ ସାପ କାମୁଡାକୁ ଦୃଷ୍ଟିରେ ରଖି ଆଣ୍ଟି ଭେନମ ଔଷଧ ସହ ହୋମିଓପ୍ୟାଥି ମଧ୍ୟ ମହଜୁଦ୍ ରହିଛି । ଏପରିକି ସର୍ପ ଦଂଶନର ଶିକାର ହେଉଥିବା ଲୋକଙ୍କୁ ମଧ୍ୟ ୨୦୦୦ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ସରକାର ।

କିନ୍ତୁ ଏସବୁ ପରେ ମଧ୍ୟ ସାପ ଦୌରାତ୍ମରୁ ରକ୍ଷା ପାଇବା ପାଇଁ ବିଜୟୱାଡାରୁ ୭୦ କିଲୋମିଟର ଦୂର ଦେବୀ ମନ୍ଦିରରେ ସର୍ପ ଯଜ୍ଞ ଆୟୋଜନ କରାଯାଇଛି । ରାହୁ ଓ କେତୁର ଦୋଷ ଦୂର କରିବା ପାଇଁ ପ୍ରସିଦ୍ଧ ଥିବା ଏହି ମନ୍ଦିରରେ ୧୫ ପୂଜାରୀ ସରକାରଙ୍କ ପାଇଁ ସର୍ପ ଯଜ୍ଞ କରିବେ । ଆନ୍ଧ୍ରପ୍ରଦେଶରେ ବର୍ଷା ଓ ବନ୍ୟା ପରେ ସର୍ପ ଦଂଶନର ଘଟଣା ବଢି ବଢି ଚାଲିଛି । ଖାସକରି କୃଷ୍ଣା ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ସର୍ପ ଦଂଶନର ଶିକାର ହୋଇଥିବା ଅଧିକାଂଶ ଲୋକ ଭର୍ତ୍ତି ହୋଇଛନ୍ତି ।

କୃର୍ଷ୍ଣା ଜିଲ୍ଲାରେ ପ୍ରାୟ ୧୪୪ ଜଣ ଲୋକ ସାପ ଦଂଶନର ଶିକାର ହୋଇଛନ୍ତି । ବନ୍ୟାରେ ଘର ଗୁଡିକ ବୁଡି ଯାଇଥିବାରୁ ଘର ମଧ୍ୟରେ ବିଷଧର ସାପ ଲୁଚି ରହୁଛନ୍ତି ।ତେଣୁ ଟିକଏ ଅସାବଧାନତା ରହିଲେ ସର୍ପ ଦଂଶନର ଶିକାର ହେଉଛନ୍ତି । ଏପରିକି କିଛି ସ୍ଥାନରେ ସର୍ପ ଦଂଶନରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି । ସାପଙ୍କର ଦୌରାତ୍ମ ଏଭଳି ଭାବେ ବୃଦ୍ଧି ପାଇଛି ଯେ, ଜଣେ ଡାକ୍ତରଙ୍କୁ ପ୍ରତିଦିନ ସର୍ପ ଦଂଶନର ଶିକାର ହୋଇଥିବା ୨୨ ଜଣ ଲୋକଙ୍କ ଚିକିତ୍ସା କରିବାକୁ ପଡୁଛି ।