ଉଦାହରଣ ପାଲଟିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଚିକିତ୍ସା ପାଇଁ ସାହାଯ୍ୟ ମାଗୁଥିଲେ କର୍କଟ ରୋଗୀ, ପୀଡ଼ିତଙ୍କୁ ଦେଖି ୨୦ ଲକ୍ଷ ଟଙ୍କା ସହାୟତା ଦେଲେ ଜଗନ ।

770

କନକ ବ୍ୟୁରୋ: ନିଜର ପ୍ରଥମ ସରକାରରେ ହୃଦୟ ଜିଣିଲେ ଆନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ବିମାନବନ୍ଦରରେ ପ୍ଲାକାର୍ଡ ଧରି ସାହାଯ୍ୟ ମାଗୁଥିବା ଜଣେ କର୍କଟ ପୀଡ଼ିତଙ୍କୁ ୨୦ଲକ୍ଷ ଟଙ୍କା ସହାୟତା ଦେଇ ନବ ନିର୍ବାଚିତ ସରକାର ଆନ୍ଧ୍ରବାସୀଙ୍କ ସହ ରହିଛନ୍ତି ବୋଲି ପ୍ରମାଣିତ କରିଛନ୍ତି । ତାଙ୍କର ଏଭଳି କାମ କରିବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

ଆନ୍ଧ୍ରପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍ ଜଗନ ମୋହନ ରେଡ୍ଡୀ ପୁଣି ଥରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସୂଚନା ମୁତାବକ, ବିଶାଖାପଟନମ୍ ଗସ୍ତରେ ଯାଇଥିବା ବେଳେ ବିମାନବନ୍ଦର ରାସ୍ତାରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଜଣେ ବ୍ୟକ୍ତି କର୍କଟ ରୋଗର ଚିକିତ୍ସା ପାଇଁ ପ୍ଲାକାର୍ଡ ଧରି ସାହାଯ୍ୟ ମାଗୁଥିବା ଦେଖିଥିଲେ । ଏହା ପରେ ତୁରନ୍ତ ଗାଡ଼ି ଅଟକାଇ ସାହାଯ୍ୟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲେ ଜଗନ ରେଡ୍ଡୀ । ସେଠାରେ ପହଞ୍ଚିବା ପରେ ବ୍ୟକ୍ତିଜଣଙ୍କ ନିଜ ବନ୍ଧୁଙ୍କୁ ରକ୍ତ କର୍କଟ ରୋଗ ହୋଇଥିବା କଥା ଜଣାଇଥିଲେ । ଏହା ସହ ୨୫ଲକ୍ଷ ଟଙ୍କାର ଖର୍ଚ୍ଚ ହେବ ବୋଲି ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ତୁରନ୍ତ ୨୦ଲକ୍ଷ ଟଙ୍କା ଦେବା ସହ ଭଲ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲେ ବୋଲି ଜଣା ପଡ଼ିଛି ।

ବର୍ତ୍ତମାନ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ଜଗନଙ୍କ ଭୂରି ଭୂରି ପ୍ରଶଂସା କରୁଛନ୍ତି ସାଧାରଣ ଜନତା । ଜଣେ ନବ ନିର୍ବାଚିତ ଏବଂ ନୂଆ ସରକାରର ଡ଼ୋରୀ ହାତକୁ ନେବା ପରେ ନିଜର ମାନବିକତା ଏବଂ କ୍ଷମତାର ସଦୁପଯୋଗ କରିବା ଭଳି ଉଦାହରଣ କାର୍ଯ୍ୟ ସମସ୍ତଙ୍କ ହୃଦରେ ତାଙ୍କ ପ୍ରତି ସମ୍ମାନ ବଢ଼ାଇ ଦେଇଛି ବୋଲି ଦେଖିବାକୁ ମିଳିଛି ।