ପ୍ରେମିକାର ନିର୍ବନ୍ଧରେ ପ୍ରେମିକ ! ଅନ୍ୟକୁ ବିବାହ କରିବା ପୂର୍ବରୁ ନିଜେ ଲଗାଇଲେ ସିନ୍ଦୁର

50

ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ଏହାର ଅନେକ ନଜିର ମଧ୍ୟ ଦେଖିବାକୁ ମିଳିଛି । ଏବେ ଆନ୍ଧ୍ରପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା କୌଣସି ସିନେମାର ପ୍ରେମ କାହାଣୀ ଠାରୁ ବି କମ୍ ନୁହେଁ । ଅତି ନାଟକୀୟ ଢଙ୍ଗରେ ବିଶାଖାପାଟଣାର ଜଣେ ଯୁବକ ପ୍ରେମିକାର ନିର୍ବନ୍ଧରେ ପହଞ୍ଚି ଜାହିର୍ କରିଛନ୍ତି ନିଜ ପ୍ରେମକୁ । ପ୍ରେମରେ ପାଗଳ ଯୁବକ ଜଣକ ହଠାତ୍ ପହଂଚି କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ସାମ୍ନାରେ ପ୍ରେମିକାକୁ ଆଲିଙ୍ଗନ କରି ଚୁମ୍ବନ ଦେବା ସହ ସିନ୍ଦୁର ଲଗାଇଥିଲେ । ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଇଣ୍ଡିଆ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ପ୍ରେମୀଯୁଗଳ ପରସ୍ପରକୁ ବହୁତ ଭଲ ପାଉଥିଲେ ମଧ୍ୟ ପରିବାରର ବିରୋଧ ଯୋଗୁଁ ଏକାଠି ହୋଇ ପାରୁ ନଥିଲେ । ଏହା ଭିତରେ ଝିଅର ବିବାହ ଅନ୍ୟତ୍ର ସ୍ଥିର ହୋଇଥିଲା । ଫଳରେ ନିଜ ପ୍ରେମକୁ ପାଇବା ପାଇଁ ଏପରି ପଦକ୍ଷେପ ନେଇଥିଲେ ଯୁବକ ଜଣକ । ତେବେ ଏହି ଘଟଣା ପରେ ଶିଶୁପାଳ ହୋଇ ଫେରିଛି ବିବାହ ପାଇଁ ଆସିଥିବା ପୁଅ  ।

ସେପଟେ ଯୁବକ ଜଣକ ନିଜ ପ୍ରେମକୁ ସମସ୍ତଙ୍କ ସାମ୍ନାରେ ଏଭଳି ଜାହିର୍ କରିବା ସହ ଝିଅର ପରିବାର ଲୋକଙ୍କୁ ବୁଝାଇବା ପରେ ଶେଷରେ ଏହି ପ୍ରେମୀଯୁଗଳଙ୍କ ପ୍ରେମକୁ ଉଭୟ ପରିବାରର ସ୍ୱୀକୃତି ମିଳିଛି ।