ପୁଣି କୋଟିଆରେ ପଶିଲା ଆନ୍ଧ୍ର ! ଜନ୍ମଭୂମି କାର୍ଯ୍ୟକ୍ରମ କରି ଲୋକଙ୍କୁ ବାଂଟିଲା ବାର୍ଦ୍ଧକ୍ୟ ଭତ୍ତା ଓ କମ୍ବଳ, ମାଗଣାରେ ହେଲା ସ୍ୱାସ୍ଥ୍ୟପରୀକ୍ଷା

ଜିଲ୍ଲା ପ୍ରଶାସନ ପାଖରେ ନାହିଁ ଖବର

76

କନକ ବ୍ୟୁରୋ : ସୁଧୁରୁନି ଆନ୍ଧ୍ର । ପୁଣି କୋଟିଆରେ ପଶିଛି ଆନ୍ଧ୍ର । ଜନ୍ମଭୂମିି କାର୍ଯ୍ୟକ୍ରମ ଜରି କୋଟିଆରେ ବାର୍ଦ୍ଧକ୍ୟ ଭତ୍ତା ଓ କମ୍ବଳ ବାଂଟିଛନ୍ତି । ଏହାବ୍ୟତୀତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛନ୍ତି । ଚଳିତମାସ ପ୍ରଥମ ସପ୍ତାହରୁ ଆନ୍ଧ୍ର ସରକାର ‘ଜନ୍ମଭୂମି’ କାର୍ଯ୍ୟକ୍ରମ ମାଧ୍ୟମରେ ବିବାଦୀୟ କୋଟିଆବାସୀଙ୍କ ସହ ସଂପର୍କ ଯୋଡିବାକୁ ଚେଷ୍ଟା କରୁଛନ୍ତି । ଏହି କାର‌୍ୟ୍ୟକ୍ରମ ମାଧ୍ୟମରେ ବିବାଦୀୟ କୋଟିଆର ଗାଁ ଗାଁ ବୁଲି ଆନ୍ଧ୍ର ଅଧିକାରୀ ଲୋକଙ୍କୁ ସରକାରୀ ଯୋଜନା ସହ ଯୋଡିବାର ପ୍ରକ୍ରିୟା ଚଳାଇଛନ୍ତି ।

ଏସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଆଜି ଉପଜିଲ୍ଲାପାଳ ଲଲିତ କୁମାର କହଁର, ପଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଡ. ଅରୁଣ କୁମାର ଖଣ୍ଡାଙ୍କ ସମେତ ଅନ୍ୟ ଅଧିକାରୀମାନେ କୋଟିଆ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଓଡ଼ିଶାର ଅଧିକାରୀମାନେ କୋଟିଆରେ ଥିଲା ସମୟରେ ଆଜି ମଧ୍ୟ ଆନ୍ଧ୍ରର ଅଧିକାରୀମାନେ କୋଟିଆର ବିଭିନ୍ନ ଗାଁରେ ସରକାରୀ ସହାୟତା ବାଣ୍ଟିଛନ୍ତି । ଭତ୍ତା ବାବଦକୁ ହଜାରେ ଟଙ୍କା ଦେବା ସହ କମ୍ବଳ, ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଓ କ୍ଷୀର ଦେଇଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆ ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଉଥିବା ନେଇ ସୂଚନା ବି ଦେଇଛନ୍ତି । ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କୋରାପୁଟ ପ୍ରଶାସନ କେତେ ଅସହାୟ ।