ବାଲିମେଳା ଜଳଭଣ୍ଡାରରୁ ପାଣି ଶୋଷି ନେଉଛି ଆନ୍ଧ୍ର ! ପୁରୁଣା ଗେଟ୍ ଦେଇ କ୍ରମାଗତ ପାଣି ନେଉଛି ଆନ୍ଧ୍ର, ଓଡ଼ିଶା କିନ୍ତୁ ଅସହାୟ

18

କନକ ବ୍ୟୁରୋ : ମହାନଦୀ ପାଣିକୁ ନେଇ ଟଣା ଓଟରା ଲାଗିି ରହି ଥିବା ବେଳେ ଓଡିଶା ଭିତରେ ଥିବା ବାଲିମେଳା ଜଳଭଣ୍ଡାରରୁ ପାଣି ଶୋଷି ନେଉଛି ପଡୋଶୀ ଆନ୍ଧ୍ର । ଦୀର୍ଘ ଦୁଇ ମାସ ଧରି ବାଲିମେଳା ଜଳ ଭଣ୍ଡାରରେ ଏକ ଟନେଲ ଖୋଲି ଆନ୍ଧ୍ର ଅନବରତ ପାଣି ନେଇ ଚାଲୁ ଥିବା ବେଳେ ଓଡିଶା କିନ୍ତୁ ଅସହାୟ । ବାଲିମେଳା ଜଳ ଭଣ୍ଡାରରେ ଥିବା ଏକ ପୁରତାନ ଟନେଲ ଖୋଲି ପଡୋଶୀ ଆନ୍ଧ୍ର ପ୍ରାୟ ୩ ହଜାର କ୍ୟୁସେକ ପାଣି ନେଇ ଯାଉଛିା ଜଳ ଭଣ୍ଡାରରେ ଜଳ ସ୍ତର ୧୪୪୦ ଫୁଟ ଖସି ଆସିଲେ ଓଡିଶା କିମ୍ବା ଆନ୍ଧ୍ର ଆଉ ପାଣି ବ୍ୟବହାର କରି ପାରିବେନି । ଏହା ସହ ବିଦ୍ୟୁତ ଉତ୍ପାଦନ ହୋଇପାରିବ ନାହିଁ କିମ୍ବା ଜଳସେଚନ ମଧ୍ୟ ହୋଇପାରିବ ନାହିଁ ।

ତେବେ ବର୍ତମାନ ଜଳ ଭଣ୍ଡାରର ଜଳସ୍ତର ୧୪୫୮ ଫୁଟ ଥିବା ଜଣା ପଡିଛି । ଚଳିତ ଜଳ ବର୍ଷ ଶେଷ ହବାକୁ ଆହୁରି ୪ ମାସ ବାକି ଥିବା ବେଳେ ଆନ୍ଧ୍ର ଭାଗରେ ଆଉ ମାତ୍ର ୩ ଟି.ଏମ.ସି ପାଣି ପାଇବାକୁ ବାକି ରହିଛି । ତେବେ ଓଡିଶା ଭାଗରେ ଆହୁରି ୩୬ ଟି.ଏମ.ସି ପାଣି ରହିଛି । ମୌସୁମୀ ନ ଆସୁଣୁ ଆନ୍ଧ୍ର ତାର ପୁରା ଭାଗ ନେଇ ଯାଇ ଥିବା ବେଳେ ଏବେ ଶୁଷ୍କ ହୋଇ ପଡିଛି ବାଲିମେଳା ଜଳ ଭଣ୍ଡାର । ଏପରି ସ୍ଥିତି ଆଗକୁ ବିଦ୍ୟୁତ ଉତ୍ପାଦନ ବାଧା ପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇ ଥିବା ସହ ବିଚ୍ଛିନ୍ନାଂଚଳ ସହ ଯୋଗାଯୋଗ ସ୍ଥାପନ କରୁଥିବା ମୋଟର ଲଂଚ ଚଳାଚଳକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।