ଚୁପ ବସିଛନ୍ତି ସରକାର, ଓଡ଼ିଶା ମାଟିରେ ଆନ୍ଧ୍ର କରୁଛି ରାଜ୍ ! ନବୀନଙ୍କ ପର୍ଯ୍ୟଟନସ୍ଥଳୀରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ନେଉଛନ୍ତି ନାଇଡୁ

130

କନକ ବ୍ୟୁରୋ : ଓଡ଼ିଶାର ପର୍ଯ୍ୟଟନସ୍ଥଳୀ କିନ୍ତୁ ରାଜସ୍ୱ ଆଦାୟ କରୁଛି ଆନ୍ଧ୍ର । କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା ବୋରା ଗୁମ୍ପା ଓଡ଼ିଶା ସୀମାରେ ଥିବାବେଳେ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇ ଲକ୍ଷାଧିକ ଟଙ୍କାର ରାଜସ୍ୱ ଆଦାୟ କରୁଛି ଆନ୍ଧ୍ର ପ୍ରଦେଶ । ଏହାସହ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଚାଟୁଆ ପଚାଂୟତର ୪୨ଟି ଗାଁ ମଧ୍ୟରୁ ବୋରା ସମେତ ୬ଟି ଗାଁରେ ଏବେ ରାଜ କରୁଛି ଆନ୍ଧ୍ର ।

bora cavesଓଡ଼ିଶାର ପର୍ଯ୍ୟଟନସ୍ଥଳୀରୁ ରାଜସ୍ୱ କମାଉଛି ଆନ୍ଧ୍ର । କୋରାପୁଟ ଜିଲ୍ଳା ନନ୍ଦପୁର ବ୍ଳକର ଚାଟୁଆ ପଚାଂୟତର ବୋରା ଗୁମ୍ପା । ଜୟପୁର ରାଜାଙ୍କ ଶାସନ କାଳର ପ୍ରାଚୀନ ଗୁମ୍ପା ଯାହା ଗୁହାଳ ରୂପରେ ପରିଚିତ ଥିଲା । ତାକୁ ଏବେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଛନ୍ତି ଆନ୍ଧ୍ର ସରକାର । ପକ୍କା ସଡ଼କ ନିର୍ମାଣ ସହ ଆବଶ୍ୟକ ଭିତିଭୂମି ଯୋଗାଇ ଦେଇଛନ୍ତି । ଏବଂ ଓଡ଼ିଶାରୁ ଦୈନିକ ଲକ୍ଷାଧିକ ଟଙ୍କାର ରାଜସ୍ୱ ଆଦାୟ କରୁଛି ଆନ୍ଧ୍ର । ଦୁରଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକ ଓଡ଼ିଶା ବୁଲୁଛନ୍ତି ହେଲେ ଆନ୍ଧ୍ରକୁ ଟଙ୍କା ଗଣୁଛନ୍ତି ।

ଚାଟୁଆ ପଚାଂୟତର ୪୨ଟି ଗାଁ ମଧ୍ୟରୁ ବୋରା ସମେତ ୬ଟି ଗାଁରେ ଏବେ ଆନ୍ଧ୍ରର ରାଜୁତି । ଗାଁକୁ ରାସ୍ତା ନଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ଲୋକେ ଆନ୍ଧ୍ର ଉପରେ ନିର୍ଭରଶୀଳ । ଓଡ଼ିଶାରେ ମାସକୁ ୩୦୦ ଟଙ୍କା ଭତା ମିଳୁଥିଲା ବେଳେ ଆନ୍ଧ୍ର ଦେଉଛି ହଜାରେ ଟଙ୍କା । ଚାଟୁଆ ପଂଚାୟତର ୧୩ ନମ୍ବର ୱାର୍ଡ଼ର ଅଧିନରେ ପେଡ଼ୁରୁ, ନିନିମାଉଡ଼ି ଓ ଏକୁମାଉଡ଼ି ଗାଁ ରହିଛି । ସରକାରଙ୍କ ପକ୍ଷରୁ କୌଣସି ଆଖି ଦୃଶିଆ କାମ ହୋଇନଥିବା ବେଳେ ଭୁବନ୍ଦୋବସ୍ତ ହୋଇନଥିବାରୁ ଏହି ଗାଁ କେବଳ ମାନଚିତ୍ରରେ ଶୋଭାପାଉଛି । ଚାଟୁଆ ପଚାଂୟତର ରାଜସ୍ୱ ଗାଁ ଭାବେ ମାନ୍ୟତା ପାଇଥିଲେ ହେଁ ସରକାରୀ ରେକର୍ଡ଼ରେ ଏହି ଗାଁ କେଉଁ ଥାନା ଅଧୀନରେ ତାହା ଉଲ୍ଲେଖ ହୋଇନାହିଁ । ଏପରିକି ନବୀନଙ୍କ କୌଣସି ଯୋଜନାକୁ ମଧ୍ୟ ନେବାକୁ ଚାହୁଁନାହାନ୍ତି ସୀମାନ୍ତରେ ଥିବା ଗ୍ରାମବାସୀ । ଫଳରେ ଏହାର ସିଧାସଳଖ ଫାଇଦା ନେଉଛନ୍ତି ଆନ୍ଧ୍ର ସରକାର ।