ଆନ୍ଧ୍ର ମାଛରେ ବିଷ ? ଖାଇଲେ ହୋଇପାରେ ମାରାତ୍ମକ ରୋଗ, ଓଡିଶା ଆସୁଥିବା ମାଛର ଯାଞ୍ଚ ହେବ ନମୂନା

51

କନକ ବ୍ୟୁରୋ : ମାଛକୁ ତାଜା ରଖିବା ପାଇଁ ହେଉଛି ଅପମିଶ୍ରଣ । ଆନ୍ଧ୍ର ମାଛରେ ମିଶାଯାଉଛି ଫର୍ମାଲ ଡିହାଇଡ୍ ନାମକ ରସାୟନ । ଏହି କାରଣରୁ ଆନ୍ଧ୍ର ମାଛ ଉପରେ ଆଜି ଆସାମ ସରକାର ୧୦ ଦିନ ପାଇଁ ବ୍ୟାନ୍ ଲଗାଇଛନ୍ତି । ଆଉ ଏହି ଘଟଣା ଓଡ଼ିଶାରେ ମଧ୍ୟ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ମାଛକୁ ଯାଂଚ୍ ପାଇଁ ପରୀକ୍ଷାଗାରକୁ ପଠାଯିବ ବୋଲି କହିଛନ୍ତି କୃଷିମନ୍ତ୍ରୀ । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଘଟଣାର ଅନୁଧ୍ୟାନ କରାଯିବ । କିଛି ଦିନ ତଳେ ମାଛରେ ଫର୍ମାଲ ଡିହାଇଡ୍ ମିଶାଯାଉଥିବା ନେଇ କନକ ନ୍ୟୁଜ୍ ଖବର ପ୍ରସାରଣ କରିଥିଲା । ଏବେ ପୁଣି ସାମ୍ନାକୁ ଆସିଛି ସେହି ଘଟଣା ।

ଆନ୍ଧ୍ର ମାଛକୁ ବ୍ୟାନ କଲା ଆସାମ । ଆନ୍ଧ୍ର ପ୍ରଦେଶରୁ ଆସୁଥିବା ମାଛ ଉପରେ କଟକଣା ଲଗାଇଛି ଆସାମ । ଆଉ ଏହି ବ୍ୟାନ୍ ପଛରେ ବି ରହିଛି ସେହି ରାସାୟନିକ ପ୍ରଲେପ-ଫର୍ମାଲିନ୍ ବା ଫର୍ମାଲ ଡିହାଇଡ୍ର ମିଶ୍ରଣ । ମାଛକୁ ଅଧିକ ଦିନ ଯାଏଁ ସତେଜ୍ ରଖିବା ପାଇଁ ଏଭଳି ରାସାୟନିକ ଦ୍ରବ୍ୟର ଉପଯୋଗ ହେଉଛି । ଆପଣ ହୁଏତ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫର୍ମାଲିନ୍ ମୃତଦେହକୁ ସଂରକ୍ଷିତ ରଖିବା କ୍ଷେତ୍ରରେ ବ୍ୟବହାର ହୁଏ । ଆଉ ଏଭଳି ଏକ ରାସାୟନିକ ପଦାର୍ଥ, ଯଦି ମାଛକୁ ଅଧିକ ଦିନ ଯାଏଁ ସତେଜ୍ ରଖିବାକୁ ବ୍ୟବହାର କରାଯାଏ, ତେବେ ଏହାର ପାଶ୍ୱପ୍ରତିକ୍ରିୟା କ’ଣ ହେବ ଯେକେହି ବି ଅନୁମାନ କରିପାରିବ । ଏନେଇ କିଛି ମାସ ତଳେ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । କିପରି ମାଛକୁ ସତେଜ ରଖିବା ପାଇଁ ଫର୍ମାଲିନ୍ ବ୍ୟବହାର କରାଯାଉଛି ତାହା କନକ ନ୍ୟୁଜର କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ।

ବଡ କଥା ହେଉଛି,ଆନ୍ଧ୍ରରୁ ଆସୁଥିବା ମାଛରେ ଏହି କେମିକାଲ ମିଶୁଥିବା କାରଣରୁ ଆସାମ ସରକାର ୧୦ ଦିନ ପାଇଁ ଆନ୍ଧ୍ରମାଛ ଉପରେ କଟକଣା ଲଗାଇଛନ୍ତି । ଆନ୍ଧ୍ରରୁ ଆସୁଥିବା ମାଛର ନମୂନାକୁ ପରୀକ୍ଷାଗାରେ ଯାଂଚ୍ କରିବା ପରେ ଏଭଳି ଏକ ନିଷ୍ପତି ନିଆଯାଇଥିବା ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଆଉ ଏହି ଖବର ଓଡ଼ିଶା ସରକାରଙ୍କୁ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ଦେଇଛି । ଓଡିଶା ବଜାରକୁ କେଉଁ ମାଛ ଆସୁଛି ତାହା ଉପରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।

ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଆସୁଥିବ ଏଭଳି ଅପମିଶ୍ରିତ ମାଛ ଖାଇଲେ ମଣିଷ ଶରୀର ଉପରେ କ’ଣ ସବୁ ପ୍ରଭାବ ପଡ଼ିବ ।
-ଏହି କେମିକାଲ ଅଳ୍ପ ମାତ୍ରାରେ ଶରୀରକୁ ଗଲେ ସାଂଘାତିକ୍ ପେଟ ରୋଗ ହୁଏ
– ଫର୍ମାଲିନ୍ ଯୋଗୁଁ ଚର୍ମ ରୋଗ ହେବାର ମଧ୍ୟ ଆଶଙ୍କା ରହିଛି
– ଏହି କେମିକାଲର ପରିମାଣ ଅଧିକ ହେଲେ କ୍ୟାନସର ହେବାର ମଧ୍ୟ ଆଶଙ୍କା ରହିଛି

ସଜ ମାଛର ଏଭଳି ଚାଂଚଲ୍ୟକର ସତ ସାମ୍ନାକୁ ଆସିବା ପରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି କେଉଁ ମାଛରେ ରହିଛି ବିଷ, ତାହା ଆପଣ ଜାଣିବେ କେମିତି ?
-ମାଛରେ ‘ଫର୍ମାଲ୍ ଡିହାଇଡ’ ମିଶାଯାଇଥିଲେ ଏହା ସାଧାରଣ ମାଛଠାରୁ ଅଧିକ ଟାଣୁଆ ଲାଗିବ
-କେମିକାଲ ମିଶା ମାଛକୁ ଚୋବାଇବା ସମୟରେ ଏହା ରବର ଭଳି ଲାଗିବ
-କେମିକାଲ ମିଶା ମାଛର କାତି ମଧ୍ୟ ସଜ ମାଛଠାରୁ ଅଧିକ ଟାଣୁଆ
-ମାଛର ଗାଲି ଅତ୍ୟଧିକ ଲାଲ ଓ ଆଖି ଅଧିକ ସଫା
-ମାଛ ଭାଜିବା ସମୟରେ ଯେଉଁ ବାସ୍ନା ଆସେ, କେମିକାଲ ମିଶା ମାଛର ବାସ୍ନା ତାଠାରୁ ଭିନ୍ନ ରହିବ
-ଜିଅନ୍ତା ମାଛରେ କୌଣସି କେମିକାଲ ମିଶାଯାଇନଥିବା ସମ୍ଭାବନା ଅଧିକ