ଜାମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ହମଲା : ଦୁଇ ସିଆରପିଏଫ୍ ଯବାନ ଶହୀଦ, ଜଣେ ଗୁରୁତର

43

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ହମଲା । ଆକବଲ୍ ଚୌକରେ ମୁତୟନ ସିଆରପିଏଫ୍ ଟିମ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବାରୁ ୨ଜଣ ଯବାନ ଶହୀଦ ହୋଇଛନ୍ତି । ଆକ୍ରମଣ ପରେ ଅଂଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି । ଘଟଣାରେ ଅନ୍ୟ ଜଣେ ଯବାନ ଗୁରୁତର ଆଘାତପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରା ଯାଇଛି । ପୂର୍ବରୁ ଜାମ୍ମୁ କାଶ୍ମୀରରେ ବିଜେପି-ପିଡ଼ିପି ମେଂଟ ଭାଂଗିବା ପରେ ସେନା ପକ୍ଷରୁ ଅପରେସନ୍ ଅଲଆଉଟ୍କୁ ଜୋରଦାର୍ କରାଯାଇଥିଲା । ତେବେ ଆଜିର ଏହି ଘଟଣା ପରେ କାଶ୍ମୀର ଘାଟିରେ ଆତଙ୍କବାଦୀ ପୁଣି ସକ୍ରିୟ ହେବାର ପ୍ରମାଣ ମିଳିଛି ।

ସେପଟେ  କେନ୍ଦ୍ର ସରକାରଙ୍କୁ ମେହବୁବା ମୁଫତିଙ୍କ ଧମକ । ଜାମ୍ମୁ କାଶ୍ମୀରରେ ବିଜେପି ଯଦି ଜୋଡ଼ତୋଡ଼ ରାଜନୀତି କରେ ତେବେ ୧୯୯୦ ମସିହା ଭଳି ସ୍ଥିତି ସୃଷ୍ଟି ହେବ ବୋଲି ଧମକ ଦେଇଛନ୍ତି ଜାମ୍ମୁ କାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । କାଶ୍ମୀରରେ କେନ୍ଦ୍ର ସରକାର ଯଦି ବିଭାଜନ ରାଜନୀତି କରନ୍ତି ତେବେ ଏହାର ପରିଣାମ ଭୟଙ୍କର ହେବ କହିଛନ୍ତି ମୁଫତି । ନବେ ଦଶକରେ ଜଣେ ସଲାହୁଦ୍ଦିନ ଓ ଜଣେ ୟାସିନ ମଲିକ ଜନ୍ମ ନେଇଥିବା ବେଳେ ଏଥରକ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ସେ କହିଛନ୍ତି । କାଶ୍ମୀରରେ ବିଜେପି-ପିଡ଼ିପି ମେଂଟ ଭାଂଗିବା ପରେ କିଛି ପିଡ଼ିପି ବିଧାୟକ ବିଦ୍ରୋହ ରାସ୍ତା ବାଛିଥିଲେ । ଏଥିପାଇଁ ମୁଫତି ଏବେ ଦଳକୁ ଏକଜୁଟ୍ କରିବାରେ ଲାଗିଛନ୍ତି ।