ଅନନ୍ତଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳକୁ ଫେରିଲେ ଗୋବିନ୍ଦ! ଉଭୟଙ୍କ ନାଁରେ ମୋହର ମାରିଲେ ନବୀନ

809

କନକ ବୁରୋ  : ଅବୁଝା ଅନନ୍ତଙ୍କୁ ନୂଆ ଦାୟିତ୍ୱ । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳରେ ମିଳିଲା ଗୁରୁ ଦାୟିତ୍ୱ । ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅନନ୍ତଙ୍କୁ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏହାସହ ପୂର୍ବତନ ମେୟରଙ୍କ ମନ ଖୁସି କରିବାକୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଅନନ୍ତଙ୍କୁ ବିଡିଏ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ ବିଜେଡି ସୁପ୍ରିମୋ । କିନ୍ତୁ ସେତେବେଳେ ଅନନ୍ତଙ୍କୁ ଏହି ପଦ ସନ୍ତୁଷ୍ଟ କରିପାରିନଥିଲା । ଏପରିକି ବିଡିଏ ଅଧ୍ୟକ୍ଷ ପଦର ଦାୟିତ୍ୱ ମଧ୍ୟ ନେଇ ନଥିଲେ ଅନନ୍ତ ।

୨୦୧୯ରେ ଅନନ୍ତ ଭୁବନେଶ୍ୱର ଉତ୍ତର କିମ୍ବା ମଧ୍ୟ ଆସନରୁ ବିଧାୟକ ଭାବେ ଲଢିବାକୁ ଆଗ୍ରହୀ ଥିବା ବେଳେ ବିଡିଏ ଅଧ୍ୟକ୍ଷ ପଦ ଦାୟିତ୍ୱ ଦେଇ ତାଙ୍କର ବିଧାୟକ ଟିକେଟ କାଟିବାକୁ ବିଜେଡିର ଥିଙ୍କଟ୍ୟାଙ୍କ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଅନନ୍ତଙ୍କୁ ବିଡିଏ ଅଧ୍ୟକ୍ଷ ପଦର ଦାୟିତ୍ୱ ମିଳିବା ପରେ ମଧ୍ୟ ସେ ଦାୟିତ୍ୱ ନେଇନଥିଲେ । ଯାହା ଦର୍ଶାଉଥିଲା ଏହି ପଦ ଦେଇ ଅନନ୍ତଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଗୋଟିଏ ପଟେ ପୂର୍ବରୁ ବିବାଦୀୟ ହୋଇ ଆସିଥିବା ଅନନ୍ତଙ୍କୁ ବିଧାୟକ ଟିକେଟ ଦେଇ ଦଳ ରିସ୍କ ନେବାକୁ ଚାହୁଁନଥିବା ବେଳେ ଅନ୍ୟପଟେ ଦୁଇ ଦୁଇଥର ମେୟର ଥିବା ଅନନ୍ତଙ୍କୁ ଅସନ୍ତୁଷ୍ଟ କରିବାକୁ ମଧ୍ୟ ବିଜେଡି ଚାହୁଁନାହିଁ । ଅନନ୍ତଙ୍କ ହାତରେ ବଡ ଭୋଟବ୍ୟାଙ୍କ ରହିଥିବା ବେଳେ ନିର୍ବାଚନ ପୂର୍ବରୁ ତାଙ୍କୁ ଅସନ୍ତୁଷ୍ଟ କରିବା ଦଳ ପାଇଁ ମହଙ୍ଗା ପଡିପାରେ ବୋଲି ପରବର୍ତ୍ତୀ ସମୟରେ ବିଜେଡିର କ୍ରାଇସିସ ମ୍ୟାନେଜର ବୁଝିପାରିଥିଲେ । ତେଣୁ ଅନନ୍ତଙ୍କୁ ଦଳର ବିଭିନ୍ନ ପଦପଦବୀରେ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରାଯାଉଥିବା ଚର୍ଚ୍ଚା ହେଉଛି ।

ସେହିଭଳି ପାରାଦ୍ୱୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦ ତରାଇଙ୍କ ନିଲମ୍ବନ ଆଦେଶକୁ ଦଳର ସଭାପତି ପ୍ରତ୍ୟାହାର କରିନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।