ଦୃଢମନା ଆନନ୍ଦିନୀ ! ଘରୋଇ ହିଂସା ବିରୋଧରେ କରୁଛନ୍ତି ଲଢେଇ

18

କନକ ବ୍ୟୁରୋ : ୩୭ ବର୍ଷୀୟା ଆନନ୍ଦିନୀ ସାହୁ । ରୁହନ୍ତି କଳହାଣ୍ଡିର ମାଲପଡାରେ । ଆନନ୍ଦିନୀଙ୍କ ଯାତ୍ରା, ଜୀବନ ଜଞ୍ଜାଳରେ ଏକ ସଂଘର୍ଷର ଗାଥା । ଯିଏ ନିଜ ହକ୍ ପାଇଁ ଲଢିଛନ୍ତି । ଘରୋଇ ହିଂସା ବିରୋଧରେ ସ୍ୱର ଉଠାଇଛନ୍ତି । ଆଉ ଜୀବନ ଯୁଦ୍ଧରେ ବିଜୟୀ ହୋଇଛନ୍ତି ।

୧୯୯୮ରେ କେସିଙ୍ଗା ବ୍ଳକ୍ ଦିଗସିରାର ଦୀନବନ୍ଧୁ ସାହୁଙ୍କ ସହ ଆନନ୍ଦିନୀଙ୍କ ବିବାହ ହୋଇଥିଲା । ବିବାହର ୨ ବର୍ଷ ପରେ ଏକ ଟ୍ରେନ୍ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହେଲା । ଆଉ ଆନନ୍ଦିନୀଙ୍କ ଉପରେ ଆରମ୍ଭ ହୋଇଘଲା ଶାଶୁ ଘର ଲୋକଙ୍କ ନିର୍ଯାତନା । ୩ ମାସର ଶିଶୁକୁ ଛଡାଇ ନେଇ ଆନନ୍ଦିନୀଙ୍କୁ ଘରୁ ତଡିଦେଲେ ପରିବାର । ହେଲେ ହାର୍ ମାନିନଥିଲେ ଆନନ୍ଦିିନୀ । ଭରଣପୋଷଣ ପାଇଁ ସ୍ୱାମୀଙ୍କ ସମ୍ପତ୍ତିିରୁ ଭାଗ ପାଇବାକୁ ଆରମ୍ଭ କରିଥିଲେ ଲଢେଇ । ପ୍ରଥମେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ- ଶକ୍ତି ସେଲ୍ ପରେ ପହଁଚିଥିଲେ ଏସ୍ପି ଅଫିସରେ ଥିବା ସହଯୋଗ କେନ୍ଦ୍ରରେ । ପରେ କୋର୍ଟରେ ମାମଲା ଚାଲିଲା । ଆନନ୍ଦିନୀଙ୍କ ବିଜୟ ହେଲା । ଶେଷରେ ଶାଶୁ ଘରେ ଦୁଇଟି କୋଠରୀ ମିଳିଲା ଆନନ୍ଦିନୀଙ୍କୁ ।

ଘରୋଇ ହିଂସା ଏକ ସାମାଜିକ ସମସ୍ୟା । ମାନବିକ ଅଧିକାରର ଉଲ୍ଲଂଘନ । ଏହି ହିଂସାର ଶିକାର ହେଉଥିବା ମହିଳାଙ୍କର ମଧ୍ୟ ସମ୍ପତ୍ତିରେ ଅଧିକାର ଅଛି । ହେଲେ ଏଥିପାଇଁ ସଂପୃକ୍ତ ମହିଳା, ଘରୋଇ ହିଂସା ସୁରକ୍ଷା ଆଇନ୍ -୨୦୦୫ର ସହାୟତା ନେବା ଆବଶ୍ୟକ ।

ବର୍ଷ ବର୍ଷ ଧରି ମହିଳାଙ୍କ ଉପରେ ଘରୋଇ ହିଂସା ଜାରି ରହିଛି । ପୁରୁଷ ପ୍ରଧାନ ସମାଜରେ ସବୁବେଳେ ନାରୀ ଅବଳା ଓ ହିଂସାର ପାତ୍ର । ହେଲେ ଆଉ ନୁହଁ । ଘରୋଇ ହିଂସା ସୁରକ୍ଷା ଆଇନ୍ -୨୦୦୫ର ସହାୟତା ନେଇ ମହିଳା ନିଜ ସ୍ୱର ଉତ୍ତୋଳନ କରିବା ସହ ନିଜ ଅଧିକାର ପାଇପାରିବେ । ମହିଳା ବିରୋଧୀ ହିଂସା ରୋକିବାରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଅଭିଯାନ- ନୂଆ କରି ଭାବିବା, ହିଂସାମୁକ୍ତ ସମ୍ପର୍କ ଗଢିବା । ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମିସ୍ କଲ୍ କରନ୍ତୁ- ୦୯୭୦୦୦୮୯୫୫୫