ଆନନ୍ଦପୁର ଆସନ ପାଇଁ ଲଢ଼େଇ! ଆଶାୟୀଙ୍କ ଲମ୍ବା ଲିଷ୍ଟ ନେଇ କନଫ୍ୟୁଜନରେ ବିଜେଡି । କ’ଣ କରିବ କଂଗ୍ରେସ, ପଦ୍ମ ଫୁଟାଇବାକୁ ବିଜେପି ଛଟପଟ ।

ଅଧିକା˚ଶ ସମୟରେ ନେତୃତ୍ବ ପରିବର୍ତ୍ତନ କରୁଥିବା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ତଳୀ ଚର୍ଚ୍ଚା ରହି ଆସିଛି ।

468

କନକ ବ୍ୟୁରୋ: କଡ଼ ଲେଉଟାଇବ କି ଆନନ୍ଦପୁର ନିର୍ବାଚନମଣ୍ଡଳୀ ? ପୂର୍ବରୁ ଅନେକ ଅଧିକା˚ଶ ସମୟରେ ନେତୃତ୍ବ ପରିବର୍ତ୍ତନ କରୁଥିବା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ତଳୀ ଚର୍ଚ୍ଚା ରହି ଆସିଛି । ତେଣୁ ମଧ୍ୟ ଏଥର ନୂଆ ବିଧାୟକ ଦେଖିବ ନା ସେଇ ପୁରୁଣା ମୁହଁ ଉପରେ ଭରସା କରିବେ ଭୋଟର ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏପରିକି ବିଜେଡି ହ୍ୟାଟ୍ରିକ୍ ମାରିବାକୁ ସଜବାଜ ହେଉଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ଏଥର ନବୀନ ହାୱାକୁ ରୋକିବା ପାଇଁ ବଳ କଷୁଛନ୍ତି ।

ଏହି ନିର୍ବାଚନମଣ୍ଡଳୀର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ବିଗତ ୧୦ଟି ବିଧାନସଭା ନିର୍ବାଚନରେ ଏଠାରେ ଅଧିକା˚ଶ ସମୟରେ ନୂଆ ଦଳ ଓ ନୂଆ ବିଧାୟକଙ୍କୁ ଦେଖିବାକୁ ମିଳିଛି । ୧୯୭୪ରେ ଏଠାରେ କ˚ଗ୍ରେସର ଭୁବନାନନ୍ଦ ଜେନା ବିଧାୟକ ଭାବେ ବିଜୟୀ ହୋଇଥିଲେ । ୧୯୭୭ରେ ଜନତା ପାର୍ଟିରୁ ମକର ସେଠୀ, ୧୯୮୦ ଓ ୧୯୮୫ରେ କ˚ଗ୍ରେସ(ଆଇ)ରୁ ଜୟଦେବ ଜେନା ବିଜୟୀ ହୋଇଥିଲେ । ସେହିପରି ୧୯୯୦ ମସିହାରେ ଜନତା ଦଳରୁ ଦାଶରଥି ଜେନା, ୧୯୯୫ ରେ କ˚ଗ୍ରେସରୁ ଜୟଦେବ ଜେନା, ୨୦୦୦ ମସିହାରେ ବିଜେପିରୁ ମାୟାଧର ଜେନା, ୨୦୦୪ ରେ କ˚ଗ୍ରେସରୁ ପୁନର୍ବାର ଜୟଦେବ ଜେନା, ୨୦୦୯ ରେ ବିଜେଡିରୁ ଭାଗୀରଥି ସେଠୀ ଓ ୨୦୧୪ ରେ ବିଜେଡିରୁ ମାୟାଧର ଜେନା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଏହି ନିର୍ବାଚନମଣ୍ତଳୀରେ କ˚ଗ୍ରେସର ଜୟଦେବ ଜେନା ସର୍ବାଧିକ ୪ ଥର ବିଧାୟକ ହୋଇଛନ୍ତି । କିନ୍ତୁ ଗତ ୨୦୧୪ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ମାୟାଧର ବିଜୟୀ ହୋଇଥିଲେ । କ˚ଗ୍ରେସର ଜୟଦେବ ଜେନା ଦ୍ୱିତୀୟ ଏବଂ ବିଜେପିର ଆଲୋକ କୁମାର ସେଠୀ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଚଳିତ ଥର ମଧ୍ୟ କଂଗ୍ରେସର ସମ୍ଭାବ୍ୟ ଆଶାୟୀ ପ୍ରାର୍ଥୀ ଜୟଦେବ ଜେନା ଓ ସଂଗ୍ରାମ ଜେନା ରହିଛନ୍ତି । ନୂଆ ରଣନୀତିକୁ ଆପଣାଇ ଏଥର କଂଗ୍ରେସ କାହାକୁ ଟିକେଟ୍ କନଫର୍ମ କରିବ ତାହା ଉପରେ ନଜର ରହିଛି ।

ସେପଟେ ଆଗାମୀ ନିର୍ବାଚନରେ ଶାସକ ବିଜେଡି ପୁଣି ତୃତୀୟ ଥର ପାଇଁ ଏଠାରୁ ନିଜର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅଣ୍ଟା ଭିଡ଼ିଛି । କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ପାଇଁ ମାଳମାଳ ଆଶାୟୀ ସମସ୍ତଙ୍କ ଅଙ୍କ ବିଗାଡ଼ି ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏଥର ଟିକେଟ ପାଇଁ ବିଧାୟକ ମାୟାଧର ଜେନା ସ୍ବାଭାବିକ ଭାବେ ଆଶାୟୀ ରହିଥିବା ବେଳେ ସାବିତ୍ରୀ ସେଠୀ, ବିମଳ କିଶୋର ଜେନା, କଳ୍ପତରୁ ସେଠୀ, କୌଶଲ୍ୟା ସେଠୀ, ରମେଶ ଜେନା, ପାର୍ଥସାରଥି ଜେନା, ବିଶ୍ବପ୍ରତାପ ଜେନା, ଅପର୍ତ୍ତି ଚରଣ ଜେନା ଭଳି ପ୍ରାୟ ୧୨ରୁ ଊର୍ଦ୍ଧ୍ବ ଆଶାୟୀ ଟିକେଟ୍ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିଜେଡି ବିଜୟ ରଥରେ ବ୍ରେକ୍ ଲଗାଇବା ପାଇଁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଭାଗୀରଥୀ ସେଠୀ ଏଥର ପ୍ରମୁଖ ଦାବିଦାର ରହିଥିବା ଚର୍ଚ୍ଚା ହେଉଛି । ସେହିଭଳି ଅନ୍ୟ ବିଜେପି ଆଶାୟୀଙ୍କ ମଧ୍ୟରେ ଆଲୋକ ସେଠୀ, ସୁମତୀ ଜେନା, ସନ୍ତୋଷ ଜେନା ପ୍ରମୁଖ ଅଛନ୍ତି । ଏବେ ଦେଖିବାର କଥା ବିଜେପିକୁ ବିଜୟର ସ୍ୱାଦ ଦେବାକୁ କାହାକୁ ବାଛୁଛନ୍ତି ହାଇକମାଣ୍ଡ ।