ଅଚଳ ହୋଇପଡିରହିଛି ଅତ୍ୟାଧୁନିକ ଫିଲଟର ! ଆନନ୍ଦ ବଜାରରେ ପିଇବା ପାଣି ପାଇଁ ଭକ୍ତ ହେଉଛନ୍ତି ଡହଳବିକଳ

ଅଚଳ ହୋଇପଡିରହିଛି ଅତ୍ୟାଧୁନିକ ଫିଲଟର

39

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆନନ୍ଦବଜାର ଭଳି ସ୍ଥାନରେ ଭକ୍ତମାନେ ପିଇବା ପାଣି ପାଇଁ କଲବଲ ହେଉଛନ୍ତି। ମହାପ୍ରସାଦ ସେବନ ପରେ ପିଇବା ପାଣି ପାଉନଥିବାରୁ ଭକ୍ତମାନେ ହାତଧୁଆ ପାଣିକୁ ପାନୀୟ ଜଳ ଭାବେ ଗ୍ରହଣ କରୁଛନ୍ତି। ଏହା ଶ୍ରୀମନ୍ଦିର ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ଦର୍ଶାଉଥିବା ବେଳେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆନନ୍ଦ ବଜାରରେ ଭକ୍ତଙ୍କୁ ସୁବିଧାରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏକ ଘରୋଇ ସଂସ୍ଥା ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଫିଲଟର୍ ବ୍ୟବସ୍ଥା କରିଛି। ସଂପୃକ୍ତ ସଂସ୍ଥା ଏହାକୁ ଦାନସୂତ୍ରରେ ଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଏହାର ପରିଚାଳନା ଦାୟିତ୍ବରେ ରହିଛନ୍ତି।

ଯେଉଁଥିରୁ ଭକ୍ତଙ୍କୁ ଅହରହ ପାନୀୟ ଜଳ ଯୋଗାଇ ହେବ। କିନ୍ତୁ କର୍ମଚାରୀଙ୍କ ଅବହେଳା ଯୋଗୁ ଭକ୍ତମାନେ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି। ସକାଳେ ଠିକରେ ପାଣି ମିଳୁଥିଲେ ବି ସଂଧ୍ୟା ବେଳକୁ ଏଥିରୁ ପାଣି ଆସିବା ବନ୍ଦ ହୋଇଯାଉଛି। ଫଳରେ ସଂଧ୍ୟାରୁ ରାତି ପର୍ଯ୍ୟନ୍ତ ଯେଉଁ ଭକ୍ତମାନେ ଶ୍ରୀମନ୍ଦିର ଆନନ୍ଦବଜାରରେ ମହାପ୍ରସାଦ ସେବନ କରୁଛନ୍ତି ସେମାନେ ପିଇବା ପାଣି ପାଇଁ ହଇରାଣ ହରକତ ହେଉଛନ୍ତି। କାହିଁ କେଉଁ ଦିନରୁ ଏହି ଅବ୍ୟବସ୍ଥା ଉପୁଜିଥିଲେ ବି ଏଥିପ୍ରତି କାହାରି ନଜର ପଡୁନାହିଁ। ସୂଚନାଯୋଗ୍ୟ, ପୂର୍ବରୁ ବି ଏକ ଘରୋଇ ସଂସ୍ଥା ଶ୍ରୀମନ୍ଦିରରେ ପାନୀୟ ଜଳ ଯୋଗାଣ ପାଇଁ ଏକ ବଡ଼ ପ୍ରକଳ୍ପ କରିଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କାର ଏହି ପ୍ରକଳ୍ପ ଖତ ଖାଇବା ପରେ ଅଚଳ କହି ଏହାର ଯନ୍ତ୍ରାଂଶକୁ ଫିଙ୍ଗି ଦିଆଯାଇଛି।