ନନ୍ଦନକାନନରେ ସର୍ବବୃହତ୍‌ ଅଜଗରର ମୃତ୍ୟୁ

20

କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସର୍ବବୃହତ ରେଟିକୁଲେଟେଡ୍ (ଜାଲି ସଦୃଶ ଚିତ୍ରିତ) ଅଜଗର ସାପର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଯାଇଛି । ୩୩ ବର୍ଷ ବୟସର ଏହି ମାଈ ଅଜଗରଟି ସରୀସୃପ ଉଦ୍ୟାନର ୫୧ ନମ୍ବର ଖୁଆଡ଼ ମଧ୍ୟରେ ରହି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେ ଗତ ପ୍ରାୟ ଏକ ମାସ ହେଲାଣି ଆହାର ଛଡ଼ି ଦେଇଥିଲା ।

ମୃତ୍ୟୁ ବେଳକୁ ତାର ଓଜନ ୩୧ କେଜି ଓ ଲମ୍ବ ୧୬.୩ଫୁଟ୍ ଥିବା ଜଣାପଡ଼ିଛି । ବାର୍ଦ୍ଧକ୍ୟ କାରଣରୁ ତାର ପାକସ୍ଥଳୀ, ହୃତପିଣ୍ଡ ଓ କିଡନି ଆଦି ଗୋଟିଏ ପରେ ଗୋଟିଏ ଅଙ୍ଗ ନିଷ୍କ୍ରିୟ ହୋଇଯିବାରୁ ଶେଷରେ ତା’ର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦରୁ ଜଣା ପଡ଼ିଛି । ୧୯୮୫ ମସିହା ଜାନୁଆରି ମାସରେ ଜନ୍ମ ନେଇଥିବା ଏହି ସାପଟିକୁ ୧୯୯୨ ମସିହାରେ ମାଡ୍ରାସସ୍ଥିତ କ୍ରୋକଡାଇଲ ପାର୍କରୁ ନନ୍ଦନକାନନ ଅଣାଯାଇଥିଲା ।

ଏହି ପ୍ରଜାତିର ସାପଙ୍କର ପରମାୟୁ ୩୦ରୁ ୩୫ ବର୍ଷ ହେଉଥିବାବେଳେ ଏମାନେ ମୁଖ୍ୟତଃ ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରେ ଦେଖା ଯାଆନ୍ତି । ଥରକେ ୭୦ରୁ ୮୦ଟି ପର୍ୟ୍ୟନ୍ତ ଅଣ୍ଡା ଦେଇଥାଆନ୍ତି । ଏହି ପ୍ରଜାତିର ଅଜଗର ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ କୁଶଳି ଶିକାରୀ ହୋଇଥିବାବେଳେ ଅନାୟାସରେ ହରିଣ ଓ ବାରହା ଆଦିକୁ ଗିଳି ଦେଇଥାନ୍ତି ।